ପ୍ରେମ
ପ୍ରେମ
"ପ୍ରେମ" ବୋଲି ଯେଉଁ ଅଢେଇ ଅକ୍ଷର
କାନକୁ ଶୁଭଇ ଭଲ ।
ଏମିତି କେଉଁଠି କେହି ନାହିଁ ଯିଏ
ପ୍ରେମକୁ ନପାଏ ଭଲ ।୧।
ସୁନ୍ଦର ଏ ପ୍ରେମ ଯାହାର ସଂସ୍ପର୍ଶେ
ଦେବତା ହୁଅଇ ନର ।
ପ୍ରେମର ବନ୍ଧନ ହୁଏ ଚିରନ୍ତନ
ପ୍ରେମ ସର୍ବାଙ୍ଗ ସୁନ୍ଦର ।୨।
ପ୍ରେମର ଭଣ୍ଡାର ପରିପୂର୍ଣ୍ଣ ଥାଏ
ପ୍ରେମୀ ପ୍ରେମାସ୍ପଦ ପାଇଁ ।
ପ୍ରେମ ଆନନ୍ଦର ଉତ୍ତାଳ ଲହରୀ
ଧରା ସ୍ବର୍ଗ ପ୍ରେମ ପାଇ ।୩।
ପ୍ରେମ ବାରିଧାରା ବହେ ନିରନ୍ତର
ସୁଧା ସମ ବସୁଧାରେ ।
ଚିହ୍ନରା ଗ୍ରାହକ ଚିହ୍ନିଲେ ତାହାକୁ
ପାନ କରେ ଆନନ୍ଦରେ ।୪।
ପ୍ରେମସୁଧା ପାନ କଲେ ଦିନୁଁଦିନ
ଆନନ୍ଦ ହୁଏ ବର୍ଦ୍ଧନ ।
କଲେ ଆସ୍ୱାଦନ କ୍ରମେ ହୋଇଥାଏ
ପୂର୍ଣ୍ଣ ଅମୃତାସ୍ୱାଦନ ।୫।
ପ୍ରେମମୟଙ୍କର ପ୍ରେମ ବାରି ଲଭି
କୃତାର୍ଥ ହୁଏ ଜୀବନ ।
ମାନବ ଜନମ ସଫଳ ହୁଅଇ
ପ୍ରେମରସ କରି ପାନ ।୬।
ପ୍ରେମେ ମତ୍ତ ହୋଇ ନାମରସ ଗାଇ
ପ୍ରେମାସ୍ପଦଙ୍କ ପୟରେ ।
ସମର୍ପିତ ହୋଇ ଚିତ୍ତ ଲଗାଇଲେ
ଶାନ୍ତି ଲଭିବ ଅଚିରେ ।୭।
ପ୍ରେମଭକ୍ତି ସବୁ ଭକତିର ସାର
ଗଣ୍ଠିଧନ ତାକୁ କର ।
ଜୀବନ ନଉକା ବୁଡିବା ଆଗରୁ
ସେବ ପ୍ରେମୀଙ୍କ ପୟର ।୮।
