STORYMIRROR

Mishra Manasi

Inspirational Others

3  

Mishra Manasi

Inspirational Others

ପ୍ରେମ

ପ୍ରେମ

1 min
214


ମାତୃପ୍ରେମେ ଝରେ ବାତ୍ସଲ୍ୟ ଝରଣା

ପ୍ରବହ ପୀୟୂଷ ଧାରେ

ପିତୃପ୍ରେମେ ଶ୍ରଦ୍ଧା-ପ୍ରତିଷ୍ଠା-ସମ୍ମାନ

ପରିଚୟ ସମାଜରେ ।1।

ଭାତୃପ୍ରେମ ରକ୍ତ ଅତୁଟ ସମ୍ପର୍କ

ଆପେଆପେ ଯୋଡିଯାଏ

ଭଗିନୀ ମମତା ମଧୁର ବନ୍ଧନ

ନିରନ୍ତେ ବରଷୁ ଥାଏ ।2।

ଅନ୍ତରଙ୍ଗ ବନ୍ଧୁ ଅନ୍ତର ବେଦନା

ପ୍ରେମ ପ୍ରତାରଣା ଯେତେ

ବିଳପିତ ମନ ହତାଶା ହୃଦୟ

ପାଶେ ଖୋଲେ ପେଡି କେତେ ।3।

ପ୍ରାଣପ୍ରିୟା ପ୍ରେମ କେବେ ମରୁକଣ୍ଟା

କେବେ ଫଗୁଣର ଫୁଲ

ଅଜାଗା ଘାଆରେ ଲୁଣ ଛିଟା ପୁଣି

ପଞ୍ଚଶରେ ଜରଜର ।4


ସଂସାରେ ଦାମ୍ପତ୍ୟ ସୁଖ ମିଳେ ଶତ 

ବିମଳ ବିଶ୍ବାସ ପ୍ରେମେ

ସ୍ୱାର୍ଥକୁ ଆହୂତି ସୁପଥେ ଦମ୍ପତି

ଚାଲେ ନିତି ସତ୍ କର୍ମେ ।5।

କପଟ ଜାଲରେ ଅବିଶ୍ୱାସ ସୂତା

ଘୃଣା ବିଦ୍ୱେଷ ଜନ୍ମାଏ

ସ୍ନେହ ପ୍ରେମେ ଗଢ଼ା ମମତା ମନ୍ଦିର

ନିମିଷେ ଭୁଶୁଡ଼ି ଯାଏ ।6

ସବୁଜିମା ଭରା ପ୍ରେମେ ପ୍ରାଣବନ୍ତ

ଶୋଭା ସୁନ୍ଦର ପ୍ରକୃତି

ମନୁ ହରିନିଏ ବିକାର ବିଷାଦ

ହୃଦୟେ ଭରି ପ୍ରଶାନ୍ତି ।7।

ପ୍ରବାସୀ ପରାଣେ ମାତୃଭୂମି ପ୍ରେମ

ଜାଗିଉଠେ ଘନଘନ

ଜନମ ଜନନୀ ତା ପାଣି ପବନ

ଅନୁଭବେ କ୍ଷଣେ କ୍ଷଣ ।8।

ପ୍ରେମ ଗଦଗଦେ ଅଜାବୁଢ଼ା ହସେ

ନାତି ବସିଥିଲେ କୋଳେ

ସରଗ ଶଶୀ କି ଓହ୍ଲେଇ ଆସିଛି

ତା'ମରତ ସରଗରେ ।9।

ଅଳିକ ସଂସାରେ ଚିରନ୍ତ -ଶାଶ୍ୱତ

ଭଗବତ ପ୍ରେମ ସିନା

ସେପ୍ରେମେ ମଣିଷ ଚିତ୍ତ ନିବେଶିଲେ

ହୁଏ ମହତରେ ଗଣା ।10।

ଉଷା ଆଗମନେ ଅରୁଣ କିରଣ

ଧରା ଯେବେ ଛୁଇଁଯାଏ

ପ୍ରେମ ନିବେଦନ ପାଇଁ ପଙ୍କଜିନୀ

ବଧୂ ବେଶ ସାଜୁଥାଏ ।11।

ଜୋଛନା ଧଉତ  ନିର୍ଜ୍ଜନ ନିଶିରେ

ନିଶାକର ପ୍ରେମେ ମଜ୍ଜି

ସରସୀରେ ଦୋଳେ ସମୀରେ କୁମୁଦ

ନିଜ ମନୁ ଵ୍ରୀଡା ତେଜି ।12।

ସ୍ୱର୍ଗୀୟ -ଅନନ୍ତ -କୃଷ୍ଣ ପ୍ରେମ ରସେ

ରାଧାରାଣୀ ବଶୀଭୂତ

ଭକ୍ତିସୁଧା ଗାନେ ଚିର ମଗ୍ନା ମୀରା

ପାନେ ଧ୍ୟାନ ପାଦାମୃତ ।13।

ଐଶ୍ୱରୀୟଦିବ୍ୟ ପ୍ରାଣବନ୍ତ ସତ୍ତା

ଜଗତ୍ କର୍ତ୍ତା ପରମ ଵ୍ରହ୍ମ

ନିଷ୍କାମ ଭକତି ପ୍ରେମେ ବନ୍ଧାପଡେ

ଭାବଗ୍ରାହୀ ଦାରୁବ୍ରହ୍ମ ।14।


Rate this content
Log in

Similar oriya poem from Inspirational