ପ୍ରେମ ସଦ୍ଭାବନାର ପଲ୍ଲୀ ଜୀବନ
ପ୍ରେମ ସଦ୍ଭାବନାର ପଲ୍ଲୀ ଜୀବନ
ଅତି ମନୋରମ ପଲ୍ଲୀ ଜୀବନ
ପ୍ରେମ ସଦ୍ଭାବନା ପରସ୍ପରଠି
ଭାଇଚାରା ବୁଣି ନିତି ଦିଏ ଆଣି
ହସଖୁସି ସୁଖ ଶାନ୍ତିକୁ ଭେଟି ।
ଭାବର ଆଦାନପ୍ରଦାନେ ଜୀବନ
ପ୍ରତି ମୁହୂର୍ତ୍ତରେ ଉଠଇ ହସି
ପଲ୍ଲୀ ପରିବେଶେ ଆମୋଦପ୍ରମୋଦ
ଆହା ! କି ସନ୍ତୋଷ ପାରଇ ଲେସି ।
ଶିଶୁର ଜନମ ସୂତିକା ଗୃହଠୁ
ପରବପର୍ବାଣି ବିବାହ ବ୍ରତ
ପାଳନ୍ତି ସଭିଏଁ ଅତି ସରାଗରେ
ସ୍ନେହ ଶରଧାରେ ଯା' ମହକିତ ।
ସାମାଜିକ ରୀତିନୀତି ଚଳଣିରେ
ସଭିଙ୍କ ଭିତରେ ପ୍ରତିବଦ୍ଧତା
ଏକତ୍ବ ଦୁନ୍ଦୁଭି ବାଜି ପ୍ରତି ପ୍ରାଣେ
ଗଢ଼ି ପାରିଥାଏ ଶୁଦ୍ଧଚେତା ।
ରାତି ପାହିଗଲେ ମୁହଁ ଚାହାଁଚାହିଁ
ଶୟନ ଶେଯକୁ ଯିବା ପର୍ଯ୍ୟନ୍ତ
ନିସଙ୍ଗତାପଣ କରିଥାଏ ଦୂର
ପଲ୍ଲୀ ଜୀବନ ଉଡ଼ାଇ ନେତ ।
ମୃତାହ ବ୍ୟକ୍ତିର ଦଶାହ ପାଳନ
ଭାଇ କୁଟୁମ୍ବାଦି ବନ୍ଧୁ ସହିତ
ମିଳନ ଉତ୍ସବେ ଶୋକ ପରିହାର
ନାନାଦି କାର୍ଯ୍ୟରେ ରହିଣ ବ୍ୟସ୍ତ ।
ନୂଆ ବୋହୂଟିର ହାତ ରାନ୍ଧଣାକୁ
ଅନାଇଁ ଥାଆନ୍ତି ପାଖ ପଡୋଶୀ
ଭାବ ଦିଆନିଆ ଆବୋରି ଥାଏଟି
ସକଳ ହୃଦୟ ସଦା ଆଶ୍ବାସି ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ
ପ୍ରୀତି ମମତାର ଲହରୀ ଖେଳି
ଭରଇ ହରଷ ପ୍ରତି ଜୀବନରେ
ଅପୂର୍ବ ପୁଲକେ ହୁଏ ପଖାଳି ।
ଯିଏ ଯେଉଁଠାରେ ରହିଲେ ବାସରେ
ଗାଁ ମାଟି ଛାଡ଼ି ଦେଇ କି ଦିନେ
ମନ ତଳେ ସଦା ଉଙ୍କି ମାରୁଥାଏ
ପଲ୍ଲୀ ଜୀବନ ପ୍ରତିଟି କ୍ଷଣେ ।
ସହରରେ କାହୁଁ ମିଳିବ ସେ ସୁଖ
ସର୍ବେ ପରା ସେଠି ଉଠା ଗଣ୍ଠିଆ
ଗାଁ ପରି କେ କି ଭାବରସ ମାଖି
କରି ପାରଇ କାହାକୁ କିମିଆ ।