ପ୍ରେମ ପାପ ନୁହେଁ
ପ୍ରେମ ପାପ ନୁହେଁ


ବିଶ୍ବବିଧାତାଙ୍କ ଅସୀମ କୃପାରୁ
ସୃଷ୍ଟି ହୋଇଅଛି ସୃଷ୍ଟ ।
ପ୍ରକୃତିର କୋଳେ ମନୁଷ୍ଯାଦି ପ୍ରାଣୀ
ହୋଇଛନ୍ତି ସର୍ବେ ଜାତ ।
ଅନାଦି କାଳରୁ ପ୍ରାଣୀଙ୍କ ମଧ୍ୟରେ
ରହିଛି ନିବୀଡ ପ୍ରେମ ।
ପ୍ରେମ ବନ୍ଧନକୁ ପାଥେୟ କରିଣ
ବଞ୍ଚିଛନ୍ତି ମର୍ତ୍ତ୍ଯ ଧାମ ।
ପ୍ରେମର ସଂଜ୍ଞାଟି ଅଟଇ ବ୍ଯାପକ
କଦାପି ନୁହେଁ ସିମୀତ ।
ସୃଷ୍ଟିର ଉଦାର ଆଲୋକ ସଦୃଶ
ପ୍ରେମ ଯେ ଅଟେ ଅନନ୍ତ ।
ପ୍ରେମ ହିଁ ଶାଶ୍ବତ ଚିରନ୍ତନ ସତ୍ୟ
ପ୍ରେମ ଅଟେ ନୈସର୍ଗିକ ।
ଅନାବିଳ ପ୍ରେମେ ଥାଏ ନିତ୍ୟାନନ୍ଦ
ତା'ଦ୍ବାରା ସବୁ ସାର୍ଥକ ।
ପ୍ରେମ ପରିଭାଷାକୁ କରି କଦର୍ଥ
ଚାଲିଛି ଅବୈଧ ପ୍ରେମ ।
ପ୍ରତାରଣା ଆଉ ନିର୍ଯ୍ୟାତନା ସହ
ହେଉଛନ୍ତି ବଦନାମ ।
ସ୍ନେହ-ଶ୍ରଦ୍ଧା ଆଉ ପ୍ରୀତି ବିଶ୍ବାସର
ଅନ୍ଯ ନାମ ଅଟେ ପ୍ରେମ ।
ଏହା ବ୍ୟତିରେକ ସବୁ ହିଁ ନିଷ୍ଫଳ
ହୁଏ ତାହାର ଦୁର୍ନାମ ।
ଯେ ଦାତା-ଗ୍ରହିତା ଭୋକ୍ତା-ଭୋଜ୍ଯଦାତା
ରହସ୍ୟ କରେ ଜ୍ଞାପନ ।
ସେ ପୁଣି ରହସ୍ୟ କରେ ସଂଗ୍ରହଣ
ପ୍ରେମର ଷଡ ଲକ୍ଷଣ ।
ସ୍ତ୍ରୀ-ପୁରୁଷର ଦୈହିକ ମିଳନେ
ନ ହୁଏ କେବଳ ପ୍ରୀତି ।
ଭଲ ପାଇବାର ପ୍ରଗାଢ ବିଶ୍ବାସେ
ଦୃଢ ହୁଏ ପ୍ରେମ ସ୍ଥିତି ।
ଦୁଇ ହୃଦୟ ଓ ଆତ୍ମା ସଂପ୍ରୀତିରେ
ପ୍ରେମ ହୁଅଇ ନିବୀଡ ।
ଜନ୍ମ-ଜନ୍ମାନ୍ତର ସାଥି ହୋଇଥାନ୍ତି
କରି ମନ-ପ୍ରାଣ ସୁଦୃଢ଼ ।
ଯାହା ପ୍ରତି ଯା'ର ଥାଏ ଅନୁରାଗ
ବଢିଥାଏ ଗାଢ଼ ସଂପର୍କ ।
ପରସ୍ପର ସ୍ନେହେ ହୋଇଲେ ଆବଦ୍ଧ
ସେହି ପ୍ରେମ ହୁଏ ସାର୍ଥକ ।
ପ୍ରେମର ତାତ୍ପର୍ଯ୍ୟ ନୁହଁଇ କେବଳ
ଲାଳସା ଯେ କାମନାର ।
ଶରୀର ସଂପର୍କ ସରିଗଲା ପରେ
ପ୍ରେମ ହୋଇଯାଏ ଦୂର ।
ଏକ ତରଫାରେ ଭଲ ପାଇବାଟା
ନୁହଁଇ ପ୍ରକୃତ ପ୍ରେମ ।
ଦୁଃଖ-କଷ୍ଟ ଆଉ ଯନ୍ତ୍ରଣା ମିଳଇ
ଅଟେ ମରୀଚିକା ସମ ।
ଛଳ,କପଟ ପୁଣି ସ୍ବାର୍ଥର ପ୍ରେମ
ତୀକ୍ଷ୍ଣ ଛୁରିକା ସମ ।
ଧୋକା,ନିର୍ଯ୍ୟାତନା,ଚରିତ୍ର ସଂହାର
ହୁଅଇ ପୁଣି ଦୁଷ୍କର୍ମ ।
ଶ୍ରୀରାଧା କୃଷ୍ଣଙ୍କ ଶାଶ୍ବତ ପ୍ରେମ ଯେ
ଥିଲା ଶ୍ରେଷ୍ଠ ନିଦର୍ଶନ ।
ଭକ୍ତ-ଭଗବାନଙ୍କ ଭକ୍ତି ସଂପର୍କ
ଭାବ ଥିଲା ସମର୍ପଣ ।
ଷୋଳ ସହସ୍ର ଗୋପୀମାନଙ୍କ ସହ
କୃଷ୍ଣଙ୍କର ଯେଉଁ ଭାବ ।
ଭକ୍ତି ରସେ ଗୋପୀ ହୋଇଣ ତଲ୍ଲିନ
ସ୍ମରିଲେ ଚିତ୍ତେ ମାଧବ ।
କେଦାରଗୌରୀ-ଲୈଲା ମଜ୍ନୁଙ୍କ ପ୍ରେମ
ହୋଇଅଛି ଯେ ଅମର ।
ଶାହାଜାହାନ ମମତାଜ୍ ପ୍ରଣୟର
ସ୍ମୃତି ତାଜମହଲର ।
ସୂର୍ଯ୍ୟଙ୍କ ସହିତ ଯଥା କମଳର
ଅଭେଦ ପ୍ରୀତି ସଂପର୍କ ।
ତଥା କୁମୁଦର ସହ ଚନ୍ଦ୍ରଙ୍କ ଭାବ
ରହିଛି ସଦା ନିଛକ ।
ଧନରତ୍ନ ଠାରୁ ପ୍ରେମରତନ ଯେ
ଅଟେ ଅମୂଲ୍ୟ ସଂପଦ ।
ଭାବ ଓ ବିଶ୍ବାସ ଧନ ବିନିମୟେ
କ୍ରୟ ହୁଏ ଯେ ନିଶ୍ଚିତ ।
କାମର ଜ୍ବାଳାରେ ହୋଇଣ ଉନ୍ମତ
କାମାନ୍ଧ ରାକ୍ଷସ ଗଣ ।
ପ୍ରେମ ବାହାନାରେ ଅର୍ଥ ମାଧ୍ୟମରେ
ଦୁଷ୍କର୍ମ କରନ୍ତି ଜାଣ ।
ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷେ ନର
ହେଲେ ପ୍ରେମରେ ବନ୍ଧନ ।
ନ ଦେଇପାରିବେ କେ ସେ ପ୍ରେମେ ବାଧା
ରହିବ ସଦା ଅକ୍ଷୂର୍ଣ୍ଣ ।
ପ୍ରେମ ପାପ ନୁହେଁ ଏହା ଅଟେ ସତ୍ଯ
ଯଦି ତାହା ସଚ୍ଚା ପ୍ରେମ ।
ପ୍ରେମ ହୀନ ନର ପଶୁ ତୁଲ୍ୟ ଜାଣ
ପ୍ରେମ ହିଁ ଶାଶ୍ବତ ଧର୍ମ ।