ପ୍ରେମ ଓ ଛଳନା
ପ୍ରେମ ଓ ଛଳନା
ପ୍ରେମ ନୁହେଁ କେବେ ସ୍ୱାର୍ଥ ପ୍ରଣୋଦିତ
ଅନାବିଳ ତାର ରୂପ,
ଯେଉଁଠି ଛଳନା ବାସ କରିଥାଏ
ପ୍ରେମ ନୁହେଁ ସିଏ ପାପ |
ଦେହର ଲାଳସା ପାଇଁ ପ୍ରୟୋଜିତ
କାର୍ଯ୍ୟ ନୁହେଁ କେବେ ପ୍ରେମ,
ଥାଏ ଯେଉଁଠାରେ ପାଇବାର ଆଶା
ହୋଇଥାଏ ପ୍ରେମ ବାମ |
ପ୍ରେମରେ କିଛି ବି ଛଳନା ରହିଲେ
ତାହା ମିଛ ଅଭିନୟ,
ବହେନାହିଁ ସେଠି ମମତାର ଧାରା
ବହେ ଯାହା ବିଷମୟ |
ଛଳନାରେ କେବେ ସତ୍ୟତା ନଥାଏ
ମିଥ୍ୟାର ଗରଳ ଭରା,
ମିଥ୍ୟା ପ୍ରଲୋଭନେ ନିଜର ଉତ୍ତମ
ପରିଚୟ ଦିଏ ସାରା |
ଛଳନାର ପ୍ରେମ କରିଥାଏ ସଦା
ସାଥୀର ଗୁଣ କୀର୍ତ୍ତନ,
ଲଭିବାକୁ କିଛି ପ୍ରେମ ଆସ୍ଵାଦନ
ଝୁରି ହେଉଥାଏ ପ୍ରାଣ |
ଛଳନାରେ କେବେ ନଥାଏ ସେନେହ
ନଥାଏ ବି ଆକର୍ଷଣ,
ଆବିଳତା ପୂର୍ଣ୍ଣ ନାଟକ କେବଳ
ପଙ୍କମୟ ଅଟେ ମନ |
ନିଜ ସ୍ୱାର୍ଥ ଚିନ୍ତା ରହେ ସବୁବେଳେ
ନିଜ ସୁଖ ମନେ ଭାଳେ,
ସାଥୀର ଭାବନା ତୁଛ ହୋଇଥାଏ
ସଂକୀର୍ଣ୍ଣ ହୃଦୟ ତଳେ |
ମନର ମିଳନ ନଥାଏ ସେଠାରେ
ସବୁ ଛଳନାର ଭାଷା,
ସ୍ବର୍ଗୀୟ ସୁଷମା ସ୍ବପ୍ନ ସେଠାରେ ତ
ସବୁ ସ୍ୱାର୍ଥ ଅଭିଲିପ୍ସା |
ଅଙ୍ଗୀକାର ଯଦି ହୋଇଥାଏ ସେଠି
ଚାଲିବାକୁ ସାଥି ହୋଇ,
ଅଧା ବାଟେ ପ୍ରୀତି ହୁଏ ବାଟବଣା
ଯନ୍ତ୍ରଣାକୁ ଭରି ଦେଇ ।