ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ପ୍ରେମ ସତ୍ୟ ପ୍ରେମ ଧର୍ମ ପ୍ରେମ ହିଁ ଆନନ୍ଦ
ସେ ମଧୁର ସୁଧା ପାନେ କଟଇ ଆପଦ ।
ଉଚ୍ଚ ନୀଚ ଭେଦ ଭାବ କରେ ସେ ବିଲୁପ୍ତ
ପାତାଳରୁ ଫୁଟେ ପ୍ରେମ ନରୁହେ ଗୁପତ ।
ନିର୍ଦ୍ଧନକୁ ମଣେ ନୃପ ନୃପଙ୍କୁ କିଙ୍କର
ପୁଣି ପ୍ରେମ ପଙ୍କ ଲେପ କରାଏ ଶୂକର ।
ଶୀତ ସକାଳର ପରି ପ୍ରେମର ପରଶ
ପ୍ରେମ ବିନା ବଦନରେ ସର୍ବଦା ବିରସ ।
ରିପୁ ଷଡ଼ଯନ୍ତ୍ର ଆସେ ଯେତେ କ୍ଷୀପ୍ର ବେଗେ
ନିବିଡତା ପ୍ରେମ ଫାଶେ ଛନ୍ଦେ ସେ ସରାଗେ ।
ପ୍ରେମ ପ୍ରୀତି ନୁହେଁ କେବେ ପାପରେ ଗଣିତା
ସ୍ଥାନ କାଳ ପାତ୍ର ଧରି ହୁଏ ସେ ଶୋଭିତା ।
ଅଗଭୀର ନୁହେଁ ପ୍ରେମ ଅସୀମ ସାଗର
ନିମଜ୍ଜିତ ହେଲେ ପ୍ରାପ୍ତ ସୁଖ ଯେ ଅପାର ।
ଅଗମ୍ୟ ଦୁର୍ଗମ ପଥ ଚିନ୍ତେନା ସେ ତିଳେ
ବିନା ବିକ୍ଳବରେ ପଶେ ନିଦାଘ ଅନଳେ ।
ପ୍ରେମ ପ୍ରଫୁଲ୍ଲ ଆହ୍ଲାଦ ଚିରନ୍ତନ ସତ୍ୟ
ପ୍ରେମୀ ଯୁଗଳ ବୁଝନ୍ତି ପ୍ରେମର ମହତ୍ୱ ।
ପ୍ରେମ ତରୀ ଭାସି ଯାଏ ମଳୟ ପବନେ
ଅପୂର୍ବ ଆନନ୍ଦ ଦିଏ ପ୍ରେମୀଙ୍କ ସ୍ପନ୍ଦନେ ।
କୋଟି ଲାବଣ୍ୟ ରୂପ ସେ ପ୍ରେମର ନିଳୟ
ଯଦି ହୁଏ ପ୍ରେମ ସତ୍ୟ ସର୍ବଦା ବିଜୟ ।
ନିନ୍ଦା ଅପନିନ୍ଦା ବୋଳି କରନା କଦର୍ଯ୍ୟ
ପ୍ରେମ ପଥ କଣ୍ଟକିତ ମନେ ରଖ ଧର୍ଯ୍ୟ ।