ପ୍ରେମ ଜ୍ଞାନ
ପ୍ରେମ ଜ୍ଞାନ
ଜୀବନରେ ମୋର ଆସି ତ ନଥିଲେ
ତୁମରି ଆଗରୁ କେହି ।
ପ୍ରେମ ଜ୍ଞାନ ତେଣୁ ମୋହରି ନଥିଲା
ପ୍ରେମ କରିବାର ପାଇଁ ।।
କୋଳରେ ତୁମର ବସାଇ ଗେଲରେ
ସିଲଟ ଧରାଇ ମୋତେ ।
ପ୍ରେମର ଅକ୍ଷର ଶିଖାଇଲ ତୁମେ
ଯତ୍ନ ନେଇ ମୋର କେତେ ।।
ଶିଖିଗଲି ମୁହିଁ ଅବନା ଶବ୍ଦକୁ
ପଦ ବି ପାରିଲି ଲେଖି ।
ଛୋଟ ଛୋଟ ବାକ୍ୟ ଗଠନ କରିଲି
ତୁମରି ଚେହେରା ଦେଖି ।।
ଏହା ଦେଖି ତୁମେ ପ୍ରେମ ଫଳା ମାତ୍ରା
ଆନନ୍ଦେ ଶିଖାଇ ଦେଲ ।
ଶିଖିବା ପୂର୍ବରୁ କାହିଁକି ପ୍ରିୟା ଗୋ
ଅନ୍ତର୍ଦ୍ଧାନ ତୁମେ ହେଲ ।।
ଜାଣି ମୁଁ ନଥିଲି ପ୍ରେମ ପରିଭାଷା
ଜଣାଇଲ କାହିଁ ପାଇଁ ।
ଅହରହ ଆଜି ଆଘାତ ପାଉଛି
ଶବ୍ଦର ଅଶୁଦ୍ଧି ପାଇଁ ।।
ଅନେକ ବାକ୍ୟ ମୁଁ ଗଠନ କରିଛି
ଅବନା ଶବ୍ଦକୁ ନେଇ ।
ଏବେ ବି ଅପେକ୍ଷା କରିଛି ତୁମକୁ
ଅଧିକ ଶିଖିବା ପାଇଁ ।।
ଫେରିଆସ ପ୍ରିୟା ମୋର ହୃଦୟକୁ
ପ୍ରେମ ଜ୍ଞାନ ଦିଅ ମୋତେ ।
ମାତ୍ରା ଫଳା ସବୁ ଶିଖାଇ ଦିଅଣ
ପରିପକ୍ୱ କର ସତେ ।।

