ପ୍ରେମ ହିଁ ସତ୍ଯ
ପ୍ରେମ ହିଁ ସତ୍ଯ
ପ୍ରେମ ହିଁ ସତ୍ୟ , ପ୍ରେମ ହିଁ ଶାସ୍ବତ ପ୍ରେମ ହିଁ ଯେ ଚିରନ୍ତନ
ରହିଥାଏ ଯହିଁ ପ୍ରଣୟୀ ପ୍ରାଣରେ ଅତୁଟ ‐ଭାବ‐ବନ୍ଧନ ।
ଆବେଗ ଆହ୍ବାନେ ପରସ୍ପର ପ୍ରତି ପ୍ରୀତି ‐ପୂତ ‐ପୟ ଧାରା
ନିର୍ଗତ ହୋଇଣ ନିମ୍ନଗା ପରାଏ ଅବିରତ ପୟ ‐ଧାରା ।
ଝରାଇ ଛୁଟଇ ସତ୍ୟରେ ହିଁ ସ୍ଥିତି ବବହମାନ ପ୍ରେମ ଝର
ପ୍ରସରି ପ୍ରଣୟୀ ପ୍ରାଣରେ ସୂଜଇ ମଧୁମୟୀ ସ୍ବପ୍ନ‐ ଭାର ।
ପ୍ରଣୟ ‐ ମାଧୁରୀ ପରସେ ପୀରତି , ସ୍ନେହ, ସହନଶୀଳତା
ଆର୍ଜବ ,ମାର୍ଜବ , ପରି ଦିବ୍ୟଭାବ ବିଭୂଷଣେ ସକ୍ଷମତା ।
ସଂଚରି ମାନବ ମାନସେ ଯୋଗାଏ ନବ‐ ତେଜ ‐ବଳ‐ବିଭା
ପ୍ରୀତି‐ମଧୁଝରେ ଦିବ୍ୟ ‐କରୁଣାରେ ବିକଶି ଉଠେ ପ୍ରତିଭା ।
ବାସ୍ତବତା ଯାହା ଅନିତ୍ୟ ଜଗତେ ତାହା ହିଁ କେବଳ ପ୍ରେମ
କଳ୍ପନା ପରସେ ମୂର୍ତ୍ତିମନ୍ତ ହୁଏ , କବି ଦେଖେ ମନୋରମ ।
ପ୍ରେମ ହିଁ ଚେତନା ପ୍ରାଣ‐ ଉନ୍ମାଦନା , ଶକ୍ତିମୟୀ ଚାରୁ ଧାରା
ଯହିଁ ସଂଭାବନା ସଂଯତ ଭାବନା ଆଶ୍ରୟୀ ବିପୁଳ‐ କଳା ।
ଅବସ୍ଥାନ କରି ସତ୍ୟ ଚେତନାରେ ଅବଗାହନେ ପ୍ରେରଣା
ଯୋଗାଇ ପରାଣେ ପୀରତି ପ୍ଲାବନେ କରନ୍ତି ପ୍ରାଣ ‐ଉନ୍ମାଦନା ।

