ପ୍ରେମ ବଞ୍ଚିବାର ଏକ କଳା
ପ୍ରେମ ବଞ୍ଚିବାର ଏକ କଳା
ଜୀବନ ଯମୁନା ତୋଳଇ ମୂର୍ଚ୍ଛନା
ପ୍ରେମ-ତରଙ୍ଗରେ ହେଲେ ପଖାଳି
ମାଦକତା ଭରା ପ୍ରୀତିର କଲ୍ଲୋଳେ
ହିଲ୍ଲୋଳିତ ପ୍ରାଣ ପଡେ ଉଛୁଳି ।
ଥିଲେ ପବିତ୍ରତା ଜୀବନର ସତ୍ତା
ଅନୁଭବୀ ପାଇଁ ଅମୃତମୟ
ମିଳେ ସେଥୁ ଯେଉଁ ଅପୂର୍ବ ମହକ
ଜୀବନକୁ କରେ ମଧୁରମୟ ।
ଧୈର୍ଯ୍ୟ ସଞ୍ଜମତା ଗୁଣେ ନିପୁଣତା
ଶୃଙ୍ଖଳା ସଂସ୍କାର ଆତ୍ମୀୟ ଭାବ
ନିନାଦିତ ହୋଇ ହୃଦୟେ ହୃଦୟେ
ଖୁସିରେ ଚାଲଇ ସଂସାର ନାବ ।
ସମ୍ପର୍କ ସେଠାରେ ନୀତି ଆଦର୍ଶରେ
ନିବିଡ଼ ବନ୍ଧନେ ରହେ ଜାଗ୍ରତ
ବଞ୍ଚିବାର ରାହା କି ସୁନ୍ଦର ଆହା
ରହନ୍ତି ସରବେ ଅବିଚଳିତ ।
ପ୍ରେମକଳା ବିନା ମନର ଭାବନା
ହୁଅଇ କି କେବେ ସୁନ୍ଦରମୟ
ରୂପ ବି ତାହାର ନେତ୍ରରେ କାହାର
ନ ଦିଶଇ କେବେ ବି କମନୀୟ ।
ପ୍ରେମ ପରା ବଞ୍ଚିବାର ଏକ କଳା
ତ୍ୟାଗ ସହିଷ୍ଣୁତା ଭିତ୍ତିଭୂମିରେ
ଦୃଢ଼ କରି ହିଆ ଦୃଢ଼ ଭାବେ ଠିଆ
ଝଲସି ଉଠେ ନିରୁତାପଣରେ ।