ପ୍ରେମ ବନ୍ଧନ
ପ୍ରେମ ବନ୍ଧନ
ପ୍ରେମ ବନ୍ଧନ ରୁ ସୃଷ୍ଟି ଏ ଜଗତ
ଆଦ୍ୟ ଅଛି ଅନ୍ତ ନାହିଁ
ପ୍ରେମ ଡୋରେ ଥରେ ବାନ୍ଧି ହୋଇଗଲେ
ମର୍ତ୍ତ୍ୟ ଲାଗେ ସ୍ବର୍ଗ ଭୁଇଁ ।
ଯା ମନ କୁଞ୍ଜରେ ବାଜି ନାହିଁ କେବେ
ପ୍ରୀତି ର ମଧୁ ମୂର୍ଚ୍ଛନା
ସିଏ କି ବୁଝିଛି ପ୍ରେମ ବିରହ ର
ମଧୁ ମିଶ୍ରିତ ବେଦନା ।
ଚକୋର ପ୍ରେମରେ ଚକୋରୀ ପାଗଳ
ଜହ୍ନ ପାଇଁ ଝୁରେ କଇଁ
ପ୍ରେମ ବନ୍ଧନ ରେ କମଳ ହସୁଛି
ଅରୁଣ କିରଣ ଛୁଇଁ ।
ମୋହନ ପ୍ରେମ ରେ ରାଧା ରାଣୀ ବାଇ
ଝୁରି ହୁଏ ମୀରା ବାଇ
ପ୍ରେମ ବଳେ ପୁଣି ବିଷ ର ପିଆଲା
ଅମୃତ ପାଲଟି ଥାଇ ।
ପ୍ରେମ ଅସତ୍ୟ ରୁ ସତ୍ୟ କୁ ଦେଖାଏ
ଅନ୍ଧାରେ ଦେଖାଏ ଦିଶା
ହୃଦ କନ୍ଦେ ପ୍ରେମ ତୁଳସୀ ଚଉରା
ମହକେ ସଳିତା ବାସ୍ନା ।
ପ୍ରେମ ଝରିଯାଏ ଝରଣା ଟେ ହୋଇ
ହୃଦୟ କନ୍ଦର ଦେଇ
ତରଳାଇ ଦିଏ ପଥର ର ଛାତି
ପ୍ରୀତି ର ପରଶ ଦେଇ ।
ପ୍ରେମ ନୁହେଁ କେବେ କଳଙ୍କ ର ଟିକା
ସେ ଶୁଦ୍ଧ ଚନ୍ଦନ ବିନ୍ଦୁ
ପ୍ରେମ ର ସହର ଫୁଲ ର ନଅର
ମମତାର ମହା ସିନ୍ଧୁ ।
କୁଜନ ଦୁର୍ଜନ କାମୁକ୍ ଲମ୍ପଟ
ରଖି ଥାନ୍ତି ନୀଚ୍ଚ ଆଶା
ଅନାବିଳ ପ୍ରେମ କରନ୍ତି ଆବିଳ
ନ ବୁଝି ତା ପରିଭାଷା ।
ପ୍ରେମ ନୁହେଁ କେବେ ଦେହର ଦହନ
କମ୍ପିତ ଓଠ ର ସ୍ପର୍ଶ
ପ୍ରେମ ସତ୍ୟ ଶିବ ସୁନ୍ଦର ପ୍ରତୀକ
ପ୍ରେମ ରେ ବନ୍ଧା ଏ ବିଶ୍ୱ ।
ପ୍ରେମ କୁ ମଣିଷ କରୁଛି କଳୁଷ
ପ୍ରତାରଣା ନିଆଁ ଢ଼ାଳି
ସେ ନିଆଁ ରେ କେତେ କୋମଳ ପରାଣ
ଅକାଳରେ ଯାଏ ଜଳି ।
ପ୍ରେମ ତ ଶାଶ୍ଵତ ପ୍ରେମ ଚିରନ୍ତନ
ପ୍ରେମ ତ ଅମୂଲ ମୂଲ
ପ୍ରେମ ଧୋଇ ଦିଏ ମନ ତଳ ପାପ
ପ୍ରେମ ଜାହ୍ନବୀ ର ଜଳ ।