ପ୍ରେମ
ପ୍ରେମ
ସାଧା କାଗଜରେ ଲେଖିଦେଲ ପ୍ରିୟ
ଅଢ଼େଇ ଅକ୍ଷର ପ୍ରେମ
କାଗଜ ନ ଥିଲା ଥିଲା ମୋ ହୃଦୟ
ଛାପି ହେଲା ତୁମ ନାମ ।
ତୁମ ନାଁ ଛାତିରେ ଛାପି ହେଲା ପାରେ
ମନ ହେଲା ଆନମନା
ଆଖିରେ ଭାସିଲା କେତେ ଯେ ସପନ
କେତେ ମିଠା କଳପନା ।
ଆଖି ସହ ଆଖି ମିଶିଗଲା ପରେ
ଲାଜେ ନଇଁ ଗଲା ପତା
ନିରବତା ଦେଖି ପଢ଼ିନେଲ ତୁମେ
ଯେତେ ଯେ ଅକୁହା କଥା ।
ନିଜ ଠିକଣା କୁ ହଜେଇ ଦେଇ ମୁଁ
ଖୋଜିଲି ଠିକଣା ତୁମ
ବସନ୍ତ ଛୁଇଁ ଲା ମନ କୃଷ୍ଣଚୁଡ଼ା
ଜାଣିଲି ହୋଇଛି ପ୍ରେମ।
ପ୍ରେମ ଭାବି ଚିନ୍ତି କରେ ନାହିଁ କେହି
ଆପେ ଆପେ ଯାଏ ହୋଇ
ଜାତି ବର୍ଣ୍ଣ ବଡ଼ ସାନ ସେ ନ ମାନେ
ହୃଦୟ କୁ ଯାଏ ଛୁଇଁ ।
ଦୁଇ ମନ ଦୁଇ ହୃଦୟ ମିଶିଲା
ବାଜିଗଲା ସାହାନାଇଁ
ତୁମ ଅଗଣା ର ଚଉରା ମୂଳରେ
ସଂଜ ଦୀପ ହେଲି ମୁହିଁ ।
ନ ଥିଲା ପ୍ରେମ ରେ ଛଳନା ନାଟକ
ବିଶ୍ୱାସ ଭରସା ଥିଲା
ସ୍ବାର୍ଥ ଠାରୁ ବେଶୀ ତ୍ୟାଗ ଥିଲା ବୋଲି
ସାର୍ଥକ ପ୍ରେମ ସେ ହେଲା ।
ସେଇ ପ୍ରେମ ଆଜି ମଥାରେ ମୋହର
ଲାଗିଛି ସିନ୍ଦୂର ହୋଇ
ଅତି ଯତନ ରେ ରଖିବି ସାଇତି
ଆଗାମୀ ଜନମ ପାଇଁ ।