ତୁମେ
ତୁମେ
ଭାବନା ସମୁଦ୍ରେ
ମୁକୁତାଟେ ତୁମେ
ଝଟକୁଛ ନିତି
ମନର ଶାମୁକା ଖୋଲି
ମନ ସରୋବରେ
କୁମୁଦଟେ ତୁମେ
ମହାକୁଛ ନିତି
ପ୍ରୀତିର ତରଙ୍ଗେ ଝୁଲି ।
ହୃଦ ଆକାଶରେ
ଜହ୍ନଟିଏ ତୁମେ
ଉଇଁ ଆସ ନିତି
ଜ୍ୟୋତ୍ସ୍ନାରେ ଭିଜାଇ ମନ
ସ୍ବପ୍ନ ବଗିଚାର
ଚନ୍ଦ୍ର ମଲ୍ଲିଟିଏ
ମହକି ବାସୁଛ
ହୃଦୟରେ ପ୍ରତିକ୍ଷଣ ।
ଭାବ ରାଇଜର
ଯାଦୁଗର ତୁମେ
କାଉଁରୀ ପରଶେ
ବାନ୍ଧିଛ ପ୍ରଣୟ ଛନ୍ଦେ
ହୃଦୟ ବୀଣାର
ମିଠା ରାଗିଣୀଟେ
ତୋଳୁଚ ମହ୍ଲାର
ଅନୁରାଗ ମକରନ୍ଦେ ।
ମନ ଆଇନାରେ
ଛବିଟିଏ ତୁମେ
ଦିଶୁଥାଅ ନିତି
ମୋ ଦେହର ଛାଇ ହୋଇ
ହୃଦ ସିଂହାସନେ
ମୂର୍ତ୍ତିଟିଏ ତୁମେ
ଉଦ୍ଭାସିତ ସଦା
ହୃଦୟ ସ୍ପନ୍ଦନ ନେଇ ।

