ପ୍ରେମ
ପ୍ରେମ
ତୁମେ ହିଁ କୁହ
କେମିତି ବର୍ଣ୍ଣିବି ତୁମକୁ।
ମନ ଗହନର ଶବ୍ଦ ସବୁକୁ
କେମିତି ସଜେଇବି
ତୁମ ଦେହରେ ।
ପକେଇବି କୁହ
କେଉଁ ସୁନ୍ଦର ଛନ୍ଦରେ
ଅବା ସଜେଇବି
କେଉଁ ଅଳଙ୍କାରେ।
ମଧୁମୟ ବସନ୍ତରୁ ମଳୟକୁ
ଚୋରେଇ ଆଣି
ଭରିବି କି ଚନ୍ଦନର
ମହ ମହ ବାସ।
ଅଥବା ନିଦାଘ ଗ୍ରୀଷ୍ମକୁ
ଅବିଳମ୍ବେ ଅତିକ୍ରମ
କରି ଯାଇ ପହଞ୍ଚିବି
ଦୂର ଆକାଶର
ଅଝଟିଆ ମେଘ ପାଖରେ।
ସାଉଁଟି ଆଣି ତା'ର
ସହସ୍ର ଧାରାକୁ
ସିଞ୍ଚିଦେବି ତୁମରି ଦେହରେ।
ନେଇ ବସେଇବି ତୁମକୁ
ଶରତର ନୀଳ ଆକାଶରେ
ଖଣ୍ଡ ଖଣ୍ଡ ଧଳା ମେଘର
ସବାରୀ ଉପରେ।
କୁହ ତୁମେ କୁହ ଥରେ
ଘାସ ଗାଲିଚାରୁ
ଚୂନା ଚୂନା ମୋତି ସବୁକୁ
ସାଉଁଟି ଆଣି
ସଜେଇବି ସୁନ୍ଦର
କବରୀ ତୁମର।
ତୁମେ ନୁହଁ ମୋ ପାଇଁ
ସୂର୍ଯ୍ୟମୁଖୀର ହସ
ତୁମେ ନୁହଁ ସେଇ
ରଜନୀଗନ୍ଧାର ବାସ
ତୁମେ ତ ମୋ ପାଇଁ
ସ୍ବର୍ଗର ପାରିଜାତ।
ସ୍ପର୍ଶ କରିବାକୁ
ଦେବିନି ତୁମକୁ
କେବେ ସେହି ବିରହର
ଅସହ୍ୟ ଯନ୍ତ୍ରଣା।
ମିଳନର ମଧୁମୟ ଛନ୍ଦେ
କରୁଥିବି ସଦା ହେ ପ୍ରେମ
ତୁମରି ବନ୍ଦନା।