ପ୍ରଭାତୀ ପୂଜା
ପ୍ରଭାତୀ ପୂଜା
ସକାଳୁ ଉଠି ମୁଁ ମୋ ଶେଜ ଉପରେ
ହାତ ଖୋଲି ମୁଁ ଯେ ଦେଖେ
ପାପୁଲୀରେ ଦେଖେ ତୋ ସୁନ୍ଦର ଛବି
ଆଖିରେ ଲୋତକ ଜମେ ।
ତୋ ଚ଼କା ଆଖିରେ ଆଖି ମିଶାଇ ମୁଁ
ନିଃଶବ୍ଦ ଭାଷାରେ କୁହେ
ଦୁଇ ପାପୁଲିକୁ ଘସି ଦେଇ ମୁହିଁ
ମୋ ମୁହଁରେ ବୋଳି ଦିଏ ।
ସାରା ମୁହଁ ମୋର ଅଗୁରୁ ଚନ୍ଦନ
ବାସରେ ମହକୁ ଥାଏ
ତୁଳସୀ ବାସନା ଦେହ ଓ ମନ କୁ
ଆବୋରି ଯେ ବସିଯାଏ ।
ଧନ୍ୟବାଦ ତୋତେ ଦେଉଛି କାଳିଆ
ଦେଇଛୁ ତୋ ଅନୁଭବ
ମୋ ମନ ହୋଇଲା ଭବ୍ୟ ମନ୍ଦିରଟେ
ଆନନ୍ଦେ ହେଲି ବିଭୋର ।
କେତେ ଘଣ୍ଟ ଘଣ୍ଟା ଶବଦ ଶୁଭିଲା
ଶୁଭିଲା ଶୁଭ କାହାଳୀ
ସକାଳ ଧୂପର ବାସରେ ମୋ ଘର
ହେଲା ରେ ପବିତ୍ର ସ୍ଥଳୀ ।
ଆଖି ଖୋଲି ଦେଇ ତୋ ଆଖିକୁ ଚାହିଁ
ଆନନ୍ଦେ ବିଭୋର ହେଲି
ମୋ ମନ ହୋଇଲା ଜଗନ୍ନାଥ ମୟ
ଭବ୍ୟ ଭାବ ମୁଁ ପାଇଲି ।
ସେ ଭବ୍ୟ ଭାବରେ ସାରା ଦିନ ମୁହିଁ
କର୍ତ୍ତବ୍ୟ କର୍ମ ମୁଁ କଲି
ଦିନ ଶେଷେ ପ୍ରଭୁ ତୁମ ଭାବ ସଙ୍ଗେ
ଆତ୍ମସନ୍ତୋଷ ଲଭିଲି ।
