STORYMIRROR

CHINMAYEE PRADHAN

Romance Classics Children

4  

CHINMAYEE PRADHAN

Romance Classics Children

ପ୍ରଭାତ ବର୍ଣ୍ଣନା

ପ୍ରଭାତ ବର୍ଣ୍ଣନା

1 min
375


ସିନ୍ଦୂରା ଫିଟିଲା ସଂକେତ ମିଳିଲା

ପ୍ରାଚୀ ଦିଶେ ନାଲି ନାଲି,

ଭାସ୍କର ଆସନ୍ତି ରଥରେ ଓହ୍ଲାଇ

ରଙ୍ଗର ମୁରୁଜ ମେଲି।


ଅନ୍ଧାର ଯାଇଛି ଦୂରେ ଅପସରି 

ଆଲୁଅ ଆସିଛି ମାଡ଼ି, 

ବିହଙ୍ଗମ ଦଳ ବାହାରି ଗଲେଣି 

ଖାଦ୍ୟ ଅନ୍ୱେଷଣ କରି। 


କାଆ କାଆ ଡାକି କାକ ଯେ ଗଲାଣି 

ଉଠ ରାତି ପାହିଲାଣି, 

ଚନ୍ଦ୍ରତାରା ସବୁ ମିତ୍ରଙ୍କ ପାଖରୁ

ମାଗିନେଲେଣି ମେଲାଣି। 


ତରୁଲତା ଦେଖ ଆନନ୍ଦ ମନରେ 

ଉଠି ପତ୍ର ମେଲିଲେଣି, 

ଆଦିତ୍ୟ କିରଣେ ପୁଷ୍କରିଣୀ ଜଳେ 

ନଳିନୀ ତ ହସିଲେଣି ।


କଅଁଳ ଘାସର ଗାଲିଚା ଉପରେ

ଶିଶିରର ମୁକ୍ତା ଶୋଭେ, 

ସୁରୁଜ କିରଣେ ଚିକ୍ ମିକ୍ କରେ

ଆହା କି ସୁନ୍ଦର ଭବେ। 


ଫୁଲ ତୋଳିବାକୁ ପ୍ରଭାତୁ ଉଠିଣ

ମାଉସୀ ତ ବୁଲିଲାଣି, 

ଦାଣ୍ଡ ଖରକୁଛି ନୂଆ ଭୁଆସୁଣୀ 

ପକାଇ ଗୋବରପାଣି।


ଚାଷୀ ଭାଇ ହଳ ସଜ କରି ପୁଣି 

ବିଲକୁ ଗଲାଣି ଧାଇଁ,

ଖପରୁଲି ଘର ଛପର ଉପରେ 

କୁକ୍କୁଟ ଡାକଇ ରହି। 


ଅନ୍ଧାର ଭିତରେ ଦୁଃଖ ଶୋକ ସବୁ 

ଯାଇଛି ରାତିରେ ହଜି, 

ନୂଆ ଆଶା ନେଇ ପ୍ରଭାତ ଆସିଛି 

ସ୍ବାଗତ କରିବା ଆଜି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance