ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଆହେ ନାରାୟଣ କର ହେ ତାରଣ
ମୋର ସବୁ ଦୋଷ ନାଶି
ଅଜାଣତେ ଯେଉଁ ପାପ ମୁଁ କରିଛି
ସଦା ମନ ଚିନ୍ତେ ଦୋଷୀ ।
ଅନୁତାପାନଳେ ଜଳୁଛି ପରାଣ
ଅତୀତ କୁକର୍ମ ଭାବି
ଧନ କିସ ହେବ ଜନ କିସ ହେବ
ମରଣ ଅବଶ୍ୟମ୍ଭାବୀ ।
କରିଛି କେତେ ମୁଁ ପାପ ଅନ୍ୟାଚାର
ଆପଣା ବଡ଼ାଇ ପଣେ
ଗଳାରେ ସେ ପାପ ଫାଶ ପାଲଟିଛି
ମୋର ଏ ଅନ୍ତିମ ରଣେ ।
ଯେଉଁ ହାତ ଦିନେ ଲୋଭ ଗ୍ରାସେ ପଡ଼ି
ନଟେକିଲା ମୁଠେ ଅନ୍ନ
କାହିଁକି ରଖିବି ପାପୀ ହାତ ଦୁଇ
ଖଡଗେ କରିବି ଛିନ୍ନ ।
ପ୍ରାୟଶ୍ଚିତ କରି ସୁଧାରି ନେବି ମୁଁ
ପାତକ କରମ ମୋର
ସୁଯୋଗ ଦିଅ ହେ ମୋର ଦୋଷ କ୍ଷମୀ
ଆହେ ପ୍ରଭୁ ଚକ୍ରଧର ।
