ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଜୀବନ ସାରା ମୁଁ ଗର୍ବ ଅହଂକାରେ
ଧରାକୁ ମଣିଛି ସରା
ସୃଷ୍ଟିକର୍ତ୍ତା ଯିଏ ଗଢ଼ିଥିଲେ ମୋତେ
ଦିନେ ନ ଡାକିଛି ପରା ।
କେଡେ ମୁଢ ମୁହିଁ ସ୍ୱୟଂ ବଡ଼ ବୋଲି
ଭାଳିଅଛି ଅଜ୍ଞାନରେ
ଧର୍ମ ପଥ ଛାଡି କୁକର୍ମରେ ଲିପ୍ତ
ହୋଇଅଛି ଯୌବନରେ ।
ସତ ପଥ ଛାଡି ଧନ ସମ୍ପଦରେ
ତୋଳିଛି ନଅର ମୋର
କେବେ ତ କାହାକୁ ଦେଇନି ଆଶରା
ସଭିଙ୍କୁ କରିଛି ପର ।
ସରି ସରି ଯାଏ ମୋର ଶେଷ ବେଳ
ନାହିଁ ଦେହେ ଆଉ ବଳ
ରୋଗବ୍ୟାଧି ଜାଲେ ହୁଏ ଛଟପଟ
କେବେ ପୁରିବ ମୋ କାଳ ।
ଡାକୁଛି ଈଶ୍ୱର ମୋତେ କ୍ଷମାକର
ପୟରେ କରୁଛି ଅଳି
ତୁମେ ହିଁ ରକ୍ଷକ ତୁମେ ମୁକ୍ତିଦାତା
କୃପାରାଶି ଦିଅ ଢାଳି ।
ପ୍ରାୟଶ୍ଚିତ ପାଇଁ ନାହିଁ ତ ସମ୍ବଳ
ତୁଣ୍ଡେ ତୁମ ନାମ ଧରି
ଚାହୁଁଚି କରୁଣା ଏ ଭଵ ସାଗରୁ
କରିଦିଅ ପ୍ରଭୁ ପାରି ।