ପ୍ରାର୍ଥନା
ପ୍ରାର୍ଥନା
ପ୍ରାର୍ଥନା ଅଟଇ ପ୍ରେରିତ ଧାରାଟେ
ମନ କୁ କରେ ଆପ୍ଳୁତ
ନିଜ ମନ କରେ ପବିତ୍ର ନିର୍ମଳ
ପରିବେଶ ହୁଏ ପୁତ ।
ପ୍ରାର୍ଥନା ଅଟଇ ଏମିତି ଡୋରଟେ
ସାଥେ ଯୋଡ଼େ ଇଶ୍ୱରଙ୍କୁ
ପ୍ରାର୍ଥନାର ଭାବ ମହକାଏ ଦିଗ
ଉର୍ଜା ଦିଏ ଅନ୍ତରକୁ ।
ଭାବମୟ ଭରା ପ୍ରାର୍ଥନାରେ ପୂର୍ଣ୍ଣ
ବିଶ୍ଵାସର ପୁଣ୍ୟ ସ୍ରୋତ
ସେଇ ସ୍ରୋତେ ଧୋଇଯାଏ ଆବିଳତା
ମନ ହୋଇ ଥାଏ ଶାନ୍ତ ।
ପ୍ରାର୍ଥନାର ଶୁଦ୍ଧ ଭାବନାରେ ଗଢ଼ା
ନିଃସଂଶୟ ଦୃଢ ସେତୁ
ସେ ସେତୁ ହୁଅଇ ଜୀବନ ଆଧାର
ମିଳେ ଜୀବନର ହେତୁ ।
ପ୍ରାର୍ଥନା ଏମିତି ଶୁଦ୍ଧ ପୂତ ଧାରା
ମନେ ଭରିଦିଏ ଶାନ୍ତି
ପୂତ ପବିତ୍ରତା ମନେ ବିରାଜିଲେ
ବ୍ୟକ୍ତିତ୍ଵେ ଉକୁଟେ କାନ୍ତି ।
ଶଶବ୍ଦ ହେଉ କି ନିଃଶବ୍ଦ ପ୍ରାର୍ଥନା
ଶକ୍ତିର ସଂଚ଼ାର କରେ
ସମସ୍ୟା ଅନ୍ଧାରେ ଧଇର୍ଯ୍ୟ ଯୋଗାଏ
ଜୀବନ ଅର୍ଥ ଶିଖାଏ ।
ପ୍ରାର୍ଥନା ଏମିତି ପ୍ରୀତି ଆଞ୍ଜୁଳିଟେ
ଇନ୍ଦିୟକୁ ବଶ କରେ
ମନ ବିକାରକୁ ସମାଧିସ୍ଥ କରି
ପୁଣ୍ୟ ଭାବନାରେ ଭରେ ।
ପ୍ରାର୍ଥନା ଜାଳଇ ସଂସ୍କାର ଦିହୁଡି
ଚେତନା ଉଜ୍ଜ୍ବଳି ଉଠେ
ଆତ୍ମା ନିଜ ରଙ୍ଗେ ସଜେଇ ହୁଅଇ
ସନ୍ତୋଷ ସୁରଭି ଛୁଟେ ।
ପ୍ରାର୍ଥନାରେ ଶକ୍ତି ପ୍ରାର୍ଥନାରେ ମୁକ୍ତି
ଦିଏ ପୁଣି ଶାନ୍ତି ସ୍ପର୍ଶ
ଜୀବନ ଦର୍ଶନ ଶିଖାଇ ଥାଏ ସେ
କହେ ଜୀବନ ନିଷ୍କର୍ଷ ।
ପ୍ରାର୍ଥନା ରେ ଭରା ଅସୀମ ଶକତି
ପାପରୁ ନିବୃତ୍ତ କରେ
ପ୍ରାର୍ଥନା ଅନ୍ତରେ ବିଭୁ ପ୍ରେମ ଦିଏ
ସୁପଥେ ଯିବାକୁ କହେ ।
ବିଭୁପ୍ରେମେ ଯୋଡ଼ି ହେବାର ମାଧ୍ୟମ
ପ୍ରାର୍ଥନା ଭାବ ମହଲ
ପ୍ରାର୍ଥନା ଅଟଇ ପବିତ୍ର ବୃକ୍ଷଟେ
ସ୍ଥିରତା ତାହାର ଫଳ ।
ଦୁଃଖ ସମୟରେ ପ୍ରାର୍ଥନା ସାନ୍ତ୍ବନା
ସୁଖ କରେ ଅରପଣ
ପ୍ରାର୍ଥନାରେ ଝରେ ଅମୀୟ ଝରଣା
ଘୁଞ୍ଚାଇ ଥାଏ କଷଣ ।
ପ୍ରାର୍ଥନା କରଇ ବ୍ୟକ୍ତିକୁ ପବିତ୍ର
ପରିବେଶ ମହକାଏ
ପରିବାରେ ଏଇ ପ୍ରାର୍ଥନାର ଧାରା
ବ୍ୟକ୍ତିତ୍ଵ ଯେ ଗଢିଦିଏ ।
ପ୍ରାର୍ଥନା ପ୍ରଭାବ ଅଟେ ଚିରନ୍ତନ
ଶାସ୍ତ୍ର ରେ ଅଛି ପ୍ରମାଣ
ଭାବମୟତା ର ପ୍ରାର୍ଥନା ରେ ଅଛି
ପୁଣ୍ୟମୟ ସମର୍ପଣ ।
ମନୁ ପୋଛି ଦେଇ କଳୁଷ କାଳିମା
ପ୍ରଭୁ ଭାବ ଭରିଦେବା
ଭାବରେ ଭାବରେ ପ୍ରଭୁଙ୍କୁ ଡାକିବା
ଜୀବନ ଧନ୍ୟ କରିବା ।
ଆମରି ପ୍ରାର୍ଥନା ଭାବମୟ ହେଉ
ନ ହେଉ ଲୋକଦେଖାଣ
ଅନୁଭବ ସଦା କହି ଦେଉ ଥାଉ
ପ୍ରାର୍ଥନା କେତେ ମହାନ । ଅ
