ପ୍ରାର୍ଥନା
ପ୍ରାର୍ଥନା
ଅନାଥ ର ନାଥ ପ୍ରଭୁ ଜଗନ୍ନାଥ
ଢାଳିଦିଅ କୃପାବାରି
ସେ ମହାସ୍ରୋତରେ ଭସାଇ ନିଏମୁଁ
ମୋ ଦୁଃଖ ଜୀବନ ତରୀ ।
ଏତେ ଦୁଃଖ ମତେ କିପାଇଁ ଦେଉଛ
କି ଦୋଷ ଦେଖିଲ ମୋର
ଜୀବନ ଟା ମୋର ସନ୍ତାପେ କଟିଲା
ଖାଲି ହେଲା ଛାରଖାର ।
ରାତି ପରେ ଦିନ ଦୁଃଖ ପରେ ସୁଖ
ଅନ୍ଧାର ପରେ ଆଲୁଅ
ମୋ ଜୀବନ ଖାଲି ଉଆଁସ ଅନ୍ଧାର
କପାଳେ ନାହିଁ ପୁନିଅଁ ।
ଵିଧି ର ବିଧାନ ହେଲା ଅବିଧାନ
ସତେ ଅବା ମୋହ ପାଇଁ
କି କାରଣ ମତେ ଏ ଦଣ୍ଡ ଦେଇଛ
କାହାକୁ କହିବି ଯାଇ ।
ସାହାରା ମରୁ ର ପଥିକ ଆଜି ମୁଁ
କେହି ନାହିଁ ଏଠି ସାହା,
ବାଲୁକା ପ୍ରାନ୍ତରେ ପଡି ମୁଁ ମରିବି
ତୁମେ ନ କରିଲେ ଆହା ।
ଦୁଃଖ ରାତି ମୋର ପାହିବ କି ନାହିଁ
ସେ କଥା ତୁମକୁ ଜଣା,
ଅନ୍ଧାର ରାତିରେ ବୁଲିବୁଲି ଶେଷେ
ହେବି ଖାଲି ବାଟ ବଣା ।
ଦେଇଥିଲ ଯାହା ସବୁତ ନେଲଣି
ତୁମେ ଦେଇ ଥିବା ଦାନ
କେବଳ ରହିଲା ଜୀବନଟା ମୋର
ତାକୁ ନିଅ ଭଗବାନ ।
ଲୋଡ଼ା ନାହିଁ ମୋର ସଂସାର ରସୁଖ
ପାଇଛି ବହୁତ ସୁଖ,
ଫେରାଇ ନିଅହେ ଅଫେରlରାଇଜେ
ଏତିକି ମୀନତୀ ରଖ ।
ଜୀବନ ର ଶେଷେ ଯାତ୍ରାଅବଶେଷେ
ମାଗୁନାହିଁ ଧନମାନ,
ଶେଷ ମାଗୁଣି ମୋ ତୁମ ପାଖେ ପ୍ରଭୁ
(ତୁମ )ଚରଣ ରେ ଦେବସ୍ଥାନ ll