STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପ୍ରାର୍ଥନା

ପ୍ରାର୍ଥନା

1 min
594

ହେ ବିଶ୍ୱ ନିୟନ୍ତା ଦୀନ ଦୁଃଖ ହର୍ତା

କୃପା କର ଆଜି ଦୀନଜନେ,

ମହାମାରୀ ରଚେ ପ୍ରଳୟ ତାଣ୍ଡବ

ଉଦ୍ଧାର କର ପ୍ରଭୁ ଆପଣେ।


ବିଚଳିତ ଆଜି ତୁମ ଏ ସଂସାର

କରୋନାର ଆକ୍ରାନ୍ତରେ,

ଜୀବନ ସାଜିଛି ଦୁର୍ବିସହ ଆଜି

କେଜାଣି କା ଚକ୍ରାନ୍ତରେ। 


ବନ୍ଦୀ ସମ ଆଜି ବିତୁଛି ସମୟ

ସମ୍ପର୍କର ଡୋରୀ ଯାଏ ଛିଡ଼ି

ଦୂରତା ବଢୁଛି ଭୁତାଣୁ ଚକ୍ରାନ୍ତେ

ମିଳନରେ ଲାଗେ ଭୟ ମାଡି।


କୃତକର୍ମ ଫଳ କବଳେ ପତିତ

ମରଣର ହାଟ ବାଟେ ବସେ,

ଭୟେ କମ୍ପେ ଚିତ୍ତ ଦିଅ ହେ ଅଭୟ

ତୁମ୍ଭ ଆଶିଷ ପରଶେ।


ଅକାଳ ଝାଞ୍ଜିରେ ଜଳୁଛି ଜୀଵନ

ଆୟୁଷ ହାରିଛି କାଳ ପାଶେ,

ବାହିଦିଅ ଆହେ ଶୀତଳ ମଳୟ

ହରିନିଅ ଚିତ୍ତ ବ୍ୟଥା ପରାଶେ। 


ମୃତ୍ୟୁ ପାଲଟିଛି ଦୈନିକ ଘଟଣା

ଶୁଭେ କରୁଣ ଚିତ୍କାର,

ଜୀବନ ପାଲଟେ ଜୁଆଖେଳ ଆଜି

କେଜାଣି ବାଜି କାହାର। 


ବିଶ୍ବାସ ହାରିଛି ନିଶ୍ବାସ ପାଖରେ

ଜ୍ଞାନ ଓ ବିଜ୍ଞାନ ପ୍ରହେଳିକା,

ଗବେଷଣା ହଜେ କୃଷ୍ଣଗର୍ତ୍ତରେ

କମ୍ପେ ଭୁତାଣୁର ବିଭୀଷିକା। 


ଆନନ୍ଦ ଯେମିତି ଲୁପ୍ତପ୍ରାୟ ଏଠି

ସୁଅ ମୁହେଁ କୁଟା ଖଣ୍ଡପରି,

ଜୀବନ ଭାସୁଛି ଶୁଖିଲା ନଈରେ

କେ କହିବ କେବେ ଯିବ ବୁଡ଼ି। 


ଅନୁତାପ ଅଶ୍ରୁ ବହେ ଧାରଧାର

ସମ୍ପିଲୁ ସର୍ବସ୍ୱ ଶ୍ରୀଚରଣେ,

ରଖ ମାର ଯାହା ତୁମ ଇଛା ନାଥ

ଆଦରି ନିଅ ହେ ତବ କୋଳେ।


ପ୍ରତିକୂଳ ଏଇ ସମୟେ ହୃଦୟେ

ଶୁଦ୍ଧ ଭାବନାର କମଳ ଖେଳୁ,

ଦୂର ହେଉ ଯେତେ ଦୂଷିତ ସଂସ୍କାର

ସର୍ବ ଚିତ୍ତେ ସତ୍ୟ ଦୀପ ଜଳୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract