ପରା ବିଦ୍ୟା ଅପରା ବିଦ୍ୟା
ପରା ବିଦ୍ୟା ଅପରା ବିଦ୍ୟା
ଚେତନ ଜୀବନ କରଇ ଗଠନ
ପରା ଅପରା ବିଦ୍ୟାରେ
ଯିଏ ଜ୍ଞାନହୀନ ଜନ୍ମ ମୂଲ୍ୟହୀନ
କର୍ମ ସାର୍ଥକ ନୁହେଁରେ ।
ଆଧ୍ୟାତ୍ମିକ ମାର୍ଗେ ନେଇ ପରା ବିଦ୍ୟା
ଆତ୍ମତତ୍ତ୍ବ ଦରଶନ
ଅଜ୍ଞାନାନ୍ଧକାର ନାଶି ଜ୍ଞାନାଲୋକ
ଜଳାଏ ଦୀପ ସମାନ ।
ଐଶ୍ବରୀୟ ପ୍ରୀତି ଭକ୍ତି ରସାମୃତ
ହୁଏ ହୃଦୟେ ପ୍ଳାବିତ
ଚିନ୍ତା ଚେତନାରେ ଦିଶଇ କେବଳ
ଆତ୍ମ ମୋକ୍ଷ ପ୍ରାପ୍ତି ପଥ ।
ଅଷ୍ଟାଙ୍ଗ ମାର୍ଗର ଅଭ୍ୟାସରେ ମାତି
ଲଭଇ କେ ଦିବ୍ୟଜ୍ଞାନ
ବୁଝି ବ୍ରହ୍ମତତ୍ତ୍ବ ଭାବର ମହତ୍ବ
ଜ୍ଞାନାଧୀଶରେ ଗଣନ ।
ଊକବେଦ ଆଦି ଶାସ୍ତ୍ର ସମ୍ବନ୍ଧୀୟ
ଜ୍ଞାନ ଯେ ଅପରାବିଦ୍ୟା
କୁଟୁମ୍ବ ପୋଷଣ ବିଦ୍ୟା ଆହରଣ
ମାଧ୍ୟମ ହିଁ ଏହି ବିଦ୍ୟା ।
ସଂସାରୀ ଜୀବନେ ଏ ବିଦ୍ୟା ଗୋଟିକ
ଏକାନ୍ତ ଅପରିହାର୍ଯ୍ୟ
ସୁଖେ ଜୀଏଁ ନାହିଁ ତାକୁ ଛାଡ଼ି କେହି
ନକରି କୌଣସି କାର୍ଯ୍ୟ ।
କର୍ମ ହିଁ ଜୀବନ କର୍ମ ଭଗବାନ
ଶାସ୍ତ୍ରାନୁମୋଦିତ କର୍ମେ
ମନ ଯେ ରଖଇ ଧର୍ମ ଅରଜଇ
ପାଳି ନିଜର ଧରମେ ।
କୌଳିକ ବୃତ୍ତିକୁ ଆପଣେଇ ଯିଏ
ହୃଦେ ଚିନ୍ତି ଭଗବାନ
ଧାମଇଁ ପ୍ରତ୍ୟହ ସାଧନ ପଥରେ
ହୁଏ ଆଶିଷ ବର୍ଷଣ ।
ନିଜର କର୍ମରେ ନିଜେ ଖୁସି ହୋଇ
କରି ଚିତ୍ତ ସଂଶୋଧନ
ଦୁଇ ବିଦ୍ଯା ମଧ୍ୟେ ସମାନ୍ତରାଳରେ
ପରମଧାମେ ଗମନ ।।
