ପଣତ କାନି
ପଣତ କାନି
ମାଆର ପଣତ ଶ୍ରୀମନ୍ଦିର ନେତ
ଆଶୀଷ ଥାଏ ବରଷି
ଖାଲି କାନି ନୁହେଁ ସ୍ନେହ ବୋଳି ସିଏ
ଧୂଳି ଝାଡୁଥାଏ ବସି।
ସେ ପଣତ କାନି ଶୀତର ବାରେଣୀ
କିଏ ବା ହୋଇବ ସରି
ଯା ପାଖରେ ନାହିଁ ମାଆର ପଣତ
ପଡେ କରମ ଆଦରି।
ବାଲ୍ୟ ଜୀବନର ଯେତେକ ଆନନ୍ଦ
ମାଆର ପଣତ ତଳେ
ଯେତେ ସୁଖ ଶାନ୍ତି ଆସିଲେ ଜୀବନେ
ମନେ ପଡେ ବେଳେ ବେଳେ।
ଅଭୁଲା ସ୍ମୃତିର ଖିଅଟିଏ ପରା
ମାଆର ପଣତ କାନି
କାଲି ପୋଛୁଥିଲା ସ୍ବେଦ ବାରି ଯିଏ
କାନ୍ଦେ ଆଜି ତୁନି ତୁନି।
ମାଆ ନାହିଁ ଯାର ସାହା ନାହିଁ ତାର
ପୂର୍ବରୁ ଅଛି ଏ କଥା
ପତ୍ନୀ ଆସିଗଲେ ମାଆ ବୋଝ ହୁଏ
ପିଟୁଥାଏ ଖାଲି ମଥା।
ମାଆ ମମତାର ଦୁନିଆରେ କେହି
ଦେଇ ପାରି ନାହିଁ ମୂଲ
ଯେତେ ଯିଏ ଥିଲେ ଆଦର କରିଲେ
କିଏ ହେବ ତାର ତୁଲ।
ସ୍ନେହ ମମତାର ଗନ୍ତାଘର ପରା
ପଣତ କାନିଟା ତାର
ଯେତେ ହତାଦର କରିଲେ ବି ତାକୁ
କରିଥାଏ ସେ ଆଦର।
ସନ୍ତାନର ଖୁସି ସନ୍ତାନର ସୁଖ
ଏକାନ୍ତ ତାହାର କାମ୍ୟ
ଜୀବନଟା ସାରା ଖଟୁଥାଏ ସିଏ
ଖୋଜେନି ଟିକେ ବିଶ୍ରାମ।
ମାଆର ପଣତେ ଏତେ ଶୀତଳତା
ସଭିଏଁ ତ ଅନୁଭବି
ବାତ୍ସଲ୍ୟ ମମତା ବଖାଣୁ ବଖାଣୁ
ପାଲଟନ୍ତି କେହି କବି।
ମାଆର ମମତା ଅତିହିଁ ନିବିଡ
ତା କବଳୁ ମୁକ୍ତି ନାହିଁ
ଯହିଁ ଥିଲେ ଦୂରେ ଅନତି କ୍ରମରେ
ସ୍ମୃତି ଥିବ ଏକା ରହି।
