STORYMIRROR

Kulamani Sarangi

Tragedy

3  

Kulamani Sarangi

Tragedy

ପଲ୍ଲୀ ଗୀତ (ଭିନ୍ନ ଏକ ମୁକୁତାଦେଇ)

ପଲ୍ଲୀ ଗୀତ (ଭିନ୍ନ ଏକ ମୁକୁତାଦେଇ)

2 mins
276

ଏ ମୁକୁତା ଦେଈ ଏବଂ "ଭଜୁକିନା ରାମନାମ " ଯୋଗୀଗୀତର ମୁକୁତା ଦେଈ ଗୋଟିଏ ଯନ୍ତ୍ରଣାର ଶିକାର। ଉଭୟଙ୍କର ଯନ୍ତ୍ରଣା ହୃଦୟ ସ୍ପର୍ଶୀ ପୁତ୍ରମୋହ। ଜଣେ ରାଜମାତା ତ ଆଉ ଜଣେ ସ୍ନେହକାଙ୍ଗାଳୀ ସାଧାରଣ ମାଆଟିଏ। ରାଜମାତା ଚାହେଁ ପୁଅ ତାର ଯୋଗୀ ହୋଇ ନିଜ ଜୀବନ ବଂଚାଇ ରଖୁ; ହାତୀ ବନସ୍ତରେ ଥିଲେ ମଧ୍ୟ ରାଜାଙ୍କର। ସେ ଚାହାଁନ୍ତି ଯମ ତାଙ୍କୁ ଧୋକା ନଦେଉ। ସାଧାରଣ ମାଆଟି ଚାହେଁ ତାର ମମତା ତାକୁ ଧୋକା ନଦେଉ । ଏହି ସାଧାରଣ ମାଆଟିର ଅସହାୟତା ଦେଖନ୍ତୁ

  

ମନେପକା ପିଲାଦିନ ରେ କୁମର

ମନେପକା ମୋ ନନ୍ଦନ,

ତୋ ଭୋକିଲା ମୁହେଁ ଦାନା ଦେବାପାଇଁ, 

ଉପାସେ ବିତିଲା ଦିନ ରେ କୁମର- --ହେଲି ବଡ ହୀନିମାନ


ତୋ ମୁହଁରେ ଦେଇ,ପେଜ ପୋଷେ ପିଇ,

ବଞ୍ଚାଇ ରଖିଲି ତତେ,

ମଦୁଆ ବାପର ମାଡଗାଳି ଖାଇ,

ରହିଥିଲି ହନ୍ତସନ୍ତେ ରେ କୁମର, ଗଂଜଣା ସହିଲି ଯେତେ


ମାଳି ବନ୍ଧାଦେଇ ପଢାଇଲି ତତେ,

ପର ଘରେ କରି କାମ,

ନିମୁଲିଖୁଣ୍ଟୀ ମୁଁ ହୋଇ ବିତାଇଲି

ଅଧା-ଭୋକିଲା ଜୀବନ ରେ ନନ୍ଦନ,ତୋର ମୁହଁ ଚାହିଁ ଧନ


ଗାଁ ଛାଡି ହେଲି ସହର-ମୁହାଁ ରେ

ବସ୍ତିରେ ରହିଲି ଯାଇ,

ତୋର ପଢାପାଇଁ ପାଞ୍ଚଘର ଯାଇ

ଅଇଁଠା ବାସନ ଧୋଇ ରେ କୁମର ,କି ଦୁଃଖ ସହିଛି ମୁହିଁ


ଏତେ ଦୁଃଖ ସହି ଆଖି ଲୁହ ପିଇ

ପାଠ ତତେ ପଢାଇଲି, 

ଦିହକୁ ନିଅଣ୍ଟ କାନିରେ ଧନରେ

ଅଧା ନଙ୍ଗଳା ରହିଲି ରେ କୁମର,ଅବାଟକୁ ମୁଁ ନ ଗଲି


ଯେଉଁ ଦିନ ତୁହି ଚାକିରି କରିଲୁ 

ଭାବିଲି ଗଲା ମୋ ଦୁଃଖ,

ଅସରା ଅସରା କାନ୍ଦିଲି ସେଦିନ 

ସେ କାନ୍ଦରେ ଥିଲା ସୁଖ ରେ କୁମର,ଭୁଲିଗଲି ସବୁ ଦୁଃଖ


କି ଚାକିରି କଲୁ ଜାଣେନା ରେ ଧନ

ମୁରୁଖ ମାଆ ମୁଁ ତୋର,

ହାତରୁ ଦିହାତ କରିବାକୁ ତତେ 

ଖୋଜିଲି ଝିଅ ସୁନ୍ଦର ରେ କୁମର,ବୋହୂ କରିବାକୁ ମୋର


କୋଉଠି କାହାକୁ ଭଲ ପାଉଥିଲୁ 

ଆଣି କଲୁ ଦିନେ ଠିଆ,

ଡଉଲ ଡାଉଲ ସୁନ୍ଦର ବୋହୂଟି

ଘରକୁ ଚନ୍ଦ୍ରଉଦିଆ ରେ କୁମର,କି ସୁନ୍ଦର ରୂପ ଆହା


ବଡ ଘର ଝୁଅ ବସ୍ତି ମୁତ ଗୁହ

ଦେଖି ନାକ ଛିଂଚାଡିଲା

ବଡ ଘର ନେଇ ସହରରେ ରହି

କେଡେ ଫୁଲେଇ ସେ ହେଲାରେ କୁମର ! ବଡ ସାନ ନମାନିଲା


ତୋ ମୁହଁକୁ ଚାହିଁ ପଡିଥିଲି ରହି 

ତୋ ଘରେ ପାଇଟି କରି,

ବୋହୂର ଗଞ୍ଜଣା ସହୁଥିଲି ସବୁ

ନିଜ ଭାଗ୍ୟକୁ ଆଦରି ରେ କୁମର,ନିଜର ସବୁ ବିଚାରି


ହାତଗୋଡ ମୋର ପଡିଗଲା ଯେବେ,

ନପାରେ ଘର କାମକୁ,

ଭାରିଜା ତୋହର ହେଲା ଗରଗର 

ମୋ ନିପାର ପଣିଆକୁ ରେ କୁମର,କହିବୁଲେ ଆକୁ ତାକୁ


ଆଜି ଗୋଡହାତ ପଡିଗଲା ବୋଲି

ପର କଲୁ ପୁଅ ତୁହି,

ଗୁହ-ମୁତ କଲି ଶେଯପଟା ବୋଲି

ଗାଁ'କୁ ଦେଉ ପଠାଇ ରେ କୁମର ,ଟିକିଏ ଭାବିଲୁ ନାହଁ


ହଗୁଥିଲୁ ମୋର ଦେହରେ ତୁ କେତେ

ଅଙ୍ଗ ତ ଦେଇନି କାଟି,

ମୁତୁଥିଲୁ ମୋର ଲୁଗାରେ ବୋଲି ତ

ଚିପି ଦେଇନି ତୋ ତଣ୍ଟି ରେ କୁମର,ଧରିଛି କୋଳେ ସାଉଁଟି


ମୋ ଅନ୍ଧ ଲଉଡି ମୋ ଆଶରା ବାଡି

ଏପରି ବାବୁ କରନା

ଦାତା କି ଦଇବ ନାହିଁ ମୋ ଗାଁଆରେ 

ପୋକମାଛି ହେବି ସିନା ରେ କୁମର,ରହିବି କି ତୋର ବିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy