ପଳାୟନ
ପଳାୟନ
କୁଆଡେ ଧାଇଁ ପଳାଉଛ ପଳାୟନପନ୍ଥୀ !
ବାସ୍ତବତାରୁ ଦୂରକୁ କେଉଁ ସ୍ବପ୍ନ ରାଜ୍ୟକୁ ?
ଡ୍ରେନ ଭିତରେ କେହି ଖସିପଡିଛି, ଦେଖ !
ସଡକ ଦୁର୍ଘଟଣାରେ କେହି ଆହତ ମଣିଷ
ହାତଠାରି ଜୀବନ ଭିକ୍ଷା ମାଗୁଛି, ଦେଖ !
ପୋଲିସ ଝାମେଲାରେ ପଡିଯିବ ଡରୁଛ ?
ରାସ୍ତା ଜାମରେ ଖସିଯାଇ ହେବନି ଭାବୁଛ,
କାହୁଁ ଶିଖିଲ ଏ ବାଟକାଟି ଖସିଯିବା କଳା,
ମାନବିକତାକୁ ବଳି ପକାଇବା କୌଶଳ ?
ବେଳାକାଳ ଭଲ ନାହିଁ, ସବୁଠି ମୃତ୍ୟୁଭୟ
କାନ ଡେରିଲେ ଶୁଭିବ ପଡୋଶୀଘରୁ କାନ୍ଦ,
ଗଣବଳାତ୍କାର ପୀଡିତାର କରୁଣ ଆର୍ତ୍ତନାଦ,
ଏସିଡ ମାଡରେ ଦିଶିବ ବିଭତ୍ସ ପୋଡ଼ାମୁହଁ,
ସବୁଠି କାୟା ବଢାଉଛି ଅପରାଧ ସାମ୍ରାଜ୍ୟ।
ବଢି ଚାଲିଛି ସାମାଜିକ, ମାନସିକ ଦୂରତା,
ଘର ଭିତରୁ କବାଟ କିଳି ଆମେ ସମସ୍ତେ
ସୁବିଧା ବାଟ ଖୋଜିବାରେ ବ୍ୟସ୍ତ ନାୟକ।
ଆଖି, କାନ, ପାଟି ବନ୍ଦ। ନୀରବ ଦର୍ଶକ ।
ମାନସିକ ଚାପ, ହତାଶାରୁ ମୁକ୍ତିର ବାଟ
ଏକମାତ୍ର କି " ବାସ୍ତବତାରୁ ପଳାୟନ ?"
ଆତ୍ମଗୋପନରେ ଖୋଜୁଛ ପୌରୁଷତ୍ବ !
ଧିକ୍କାର କର ନିଜ ବିବେକ, ବିବେଚନାକୁ।
ନିରେଖି ଦେଖ, ସମାଜ ଜୀବନରେ ସ୍ପଷ୍ଟ
ଦିଶୁଛି କେମିତି ଭଗ୍ନ ଶିରି, ଦୂରତାର ଫାଙ୍କ
ଖୋଜା ଚାଲିଛି ଜିଇବାର ବିକଳ୍ପ ସାହାରା,
ଆଦର୍ଶ ପନ୍ଥା ସାଜିଛି ଭୀରୁ ପଳାୟନବାଦ।
ଆମେ ଭୁଲିଯାଉଛୁ ମଣିଷ ଏକ ସାମାଜିକ
ପ୍ରାଣୀ, ବାସ୍ତବତା ସହ ଲଢି ଶିଖିଛି ବଞ୍ଚିବା
ବାଟ, ନୈତିକତାର ମନ୍ତ୍ର ଯାହା ଶିଖାଇଥିଲାସଂ
ସ୍କୃତିସମ୍ପନ୍ନ ଆମ ପରିବାର ଓ ସମାଜ।
କାହାରି ଯତ୍ନ ନେବା ତ ଦୂରେ ଥାଉ, ଆମେ
ରଖି ଯାଉଛନ୍ତି ଭବିଷ୍ୟତ ଲାଗି ବିଲକ୍ଷଣ,
ସୁବିଧାବାଦୀ ଚରିତ୍ର, ମାନସିକତାର ନମୁନା।
ଆତ୍ମସୁରକ୍ଷା ନାଁରେ ସ୍ଥିତିକୁ ନଜର ଅନ୍ଦାଜ
କରି କଳ୍ପନାର ଅବାସ୍ତବ ଦୁନିଆକୁ ଧାଇଁବା,
ଆମେ ଏ ଜୀବନରୁ କଣ ଚାହୁଁଛୁ ଭୁଲିଯିବା
ମାନସିକ ନିୟନ୍ତ୍ରଣ ହରାଇବା ସହ ସମାନ।
ନକାରାତ୍ମକ ଆତ୍ମଚିନ୍ତନ ଏକ ଉଚ୍ଚସ୍ତରୀୟ
ଅବସାଦ ଓ ଏକାଗ୍ରତାହୀନତାର ଲକ୍ଷଣ !
ଯେଉଁ ମାଟିରେ ଆମେ ନିଜପାଦ ଥାପିଛନ୍ତି
ସେହି ମାଟିକୁ ପଳାୟନ ନିହାତି ଅସମ୍ଭବ।
ଅସୁଖ ଭାବନାରେ ନିଜର ମନକୁ ବୁଝାଇ
ଆଉ କେତେ ଦିନ ଆମେ ବାନ୍ଧି ରଖିବା ଓ
ମୂଲ୍ୟବୋଧ, ଦୃଷ୍ଟିଭଂଗୀ ହରାଇ ବସୁଥିବା !
ମନେପଡେ ଭୟାଳୁ ଠେକୁଆର କାହାଣୀ।
ଗଛରୁ ବେଲ ଖସି ପଡିବା ଶବ୍ଦରେ ଚମକି
ପ୍ରାଣ ବିକଳେ ଧାଇଁଥିଲା କେମିତି ସେଦିନ ,
ଡାକ ଛାଡି "ପଳାଇ ଆସରେ ଆସ, ପଛରେ
ଦୁଲ୍ ଦୁଲ୍ ହୋଇ ଖସିପଡୁଛି ଆମ ପୃଥିବୀ"।
ଠେକୁଆ କଥା ଶୁଣି ସିଂହ, ବାଘ, ହାତୀଙ୍କ
ଭଳି ବନ୍ୟପ୍ରାଣୀ ଧାଇଁଥିଲେ ତା' ପଛରେ।
ଘଟଣା ନ ବୁଝି ବାସ୍ତବତାରୁ ପଳାୟନ ଏକ
କଳ୍ପନାର ପୃଥିବୀକୁ ଯାହାର ନାହିଁ ଅସ୍ତିତ୍ବ।
ଭୟାଳୁ ଠେକୁଆର କାହାଣୀ ଶୁଣି ଆମେ
ହସୁଥିଲେ, "କେଡେ ବୁଦ୍ଦୁଟେ ଥିଲା ନା !!"
ଆମେ ଆଜି ଠେକୁଆଠୁଁ କୌଣସି ଗୁଣରେ
କମ୍ ନୁହନ୍ତି, ପଳାୟନପନ୍ଥୀ ସାଜି ଧାଉଁଛନ୍ତି
ଭୟରେ ଜୀବନ ବଞ୍ଚାଇବାକୁ। ବିଷାଦଗ୍ରସ୍ତ
ମନ ଲାଗି ଖୋଜୁଛନ୍ତି ସୁଖ, ଶାନ୍ତି ଓ ସ୍ବପ୍ନ।
' ନିଜେ ବଞ୍ଚିଥିଲେ ବାପର ନାଁ ' ଚିନ୍ତାଧାରା,
ଭୀରୁତାପଣ, ଅସାମାଜିକତାର ନିଦର୍ଶନ,
କଳ୍ପନା ଜଗତକୁ ମନସ୍ତାତ୍ତ୍ବିକ ପଳାୟନ !
ଯେଉଁ ଦିନ ଆମେ କଥାର ମର୍ମ ବୁଝିଯିବା,
ମନରୁ ଉଭେଇଯିବ ଭ୍ରମାତ୍ମକ ବିଷାଦପଣ,
ଉଗ୍ର ପଳାୟନ ଵାଦ, ସାମାଜିକ ଦୂରତା।
ଆସ ଶିଖିବା, ଶିଖାଇବା ପଳାୟନ ବାଦର
ଭଲ, ମନ୍ଦ ଗୁଣ। ମାନବତାବାଦର ଜ୍ୟୋତି
ଜଳାଇ ରଖିବା ସବୁରି ଆତ୍ମ ଚେତନାରେ।
ଦୁଃଖସୁଖର ସାଥୀ ହୋଇ ଜିଇବା ଜୀବନ,
ମାଗିବା ଦାଦା, ଖୁଡି ଓ କକେଇଙ୍କର ହାତ,
ଖୋଜିବା ମା' ଭଉଣୀଙ୍କ ସ୍ନେହ ଓ ମମତା,
ପଡୋଶୀଙ୍କ ଆଦର, ହଜିଲା ଆତ୍ମବିଶ୍ବାସ।
ଆମେ ଗଢିବା ଆଦର୍ଶ ପରିବାର ଓ ସମାଜ
ନ ଥିବ ଏକାକୀତ୍ବବୋଧ, ପଳାୟନ ଭୟ ।
*******