ପଳାଶ
ପଳାଶ
ପ୍ରକୃତି ରୁ ଶିଖ ହୃଦୟ ରେ ଲେଖ
ରୂପକୁ କେବେ ନଦେଖ
ମାୟା ମରୀଚିକା ସଂସାର ବଗିଚା
ନମାଡ଼ିବ ରୂପ ପାଖ ।।
ସବୁଠୁ ସୁନ୍ଦର ପ୍ରକୃତି ତା ଘର
ତା ସମାନ କେହି ନାହିଁ
ନାଲି ପାଟ ପିନ୍ଧି କାନିକୁ ସେ ବାନ୍ଧି
ପ୍ରେମୀକୁ ରହିଛି ଚାହିଁ ।।
ନାଲି ଟୁକୁ ଟୁକୁ ଓଠ ଟା ତାହାର
ପାରେନାହିଁ କିଛି କହି
ପ୍ରେମି ଯୁଗଳର ହସ ଖୁସି ଖେଳ
କେମିତି ପାରିବ ରହି! ।।
ଦିନ ଅବସାନ ରାତି ଆଗମନ
ମାସ ବର୍ଷ ଜାଏ ବିତି
ଯାଉଛନ୍ତି କେତେ ଦେଖୁ ଛନ୍ତି ସତେ
କେହି ନ କରନ୍ତି ପ୍ରିତି ।।
ଭାରି ନିରୀ ମାଖି ନିଜକୁ ସେ ଦେଖି
ପଚାରେ ମନକୁ ତାର
ବାସ ନାହିଁ ମୋର କରନ୍ତି ଯେ ପର
କରି ପାତର ଅନ୍ତର! ।।
ରୂପକୁ ଦେଖନ୍ତି ନେତ୍ର ପଖାଳନ୍ତି
ରୂପବତୀ ହୁଏ ଖୁସି
ପ୍ରେମର ନିଆଁ ରେ ପଡିଗଲେ ଥରେ
ଜଳିବୁ ତୁ ହୋଇ ବତୀ ।।
ଚମ୍ପା କନିଅର ମନ୍ଦାର ଟଗର
ସୁନ୍ଦର ରୁପଶ୍ରୀ ରାଣୀ
କୁଆଁରୀ ବୟସେ ଭ୍ରମର ର ସାଥେ
କରିଛନ୍ତି ପ୍ରୀତି ପୁଣି ।।
ସୁନ୍ଦରୀ ତରୁଣୀ ଦେଖି କର ରାଣୀ
ନହେଉ ଚମ୍ପା ଗୋଲାପ
ହେଉ ସେ ପଳାଶ ନଥାଉ ସୁବାସ
ଗୁଣ ତ ଅଛି ଅଳପ ।।
ଏକ ପତି ବ୍ରତ ନକରେ ଅନ୍ୟତ୍ର
ତ୍ରିଦେବ ପାଇଁ ଜନମ
ମହାଶିବ ରାତ୍ରି ହୋଇଯାଏ ପ୍ରାପ୍ତି
ସାର୍ଥକ ହୁଅଇ ପ୍ରେମ।।
ଅଗ୍ନି ଶିଖା ତେଜ ତାଶରୀର ଆଜ
ନମାଡନ୍ତି କେହି ପାସ
ସେଥି ପାଇଁ ନର ଡରି କରି ପର!
ମିଛେକହେ ନାହିଁବାସ ।।
ତ୍ରୀ - ନେତ୍ରର ସାଥି ସିଏ ମହା ସତୀ
ଶରୀର କରଇ ଦାନ
ଦ୍ୱିଜ ବ୍ରହ୍ମ ଦଣ୍ଡ ପାଦପ ରକାଣ୍ଡ
ଭାରତୀ ମନ ସୁମନ।।
ନାନା ଦି ଔଷଧ କରଇ ପ୍ରଦତ୍ତ
ମଙ୍ଗଳ କାମନା କରି
ପତ୍ର ଚେର ମୂଳ ନାହିଁ ତାର ମୂଲ
ପଳାଶ ନାମ ତାହାରି।।
........ ×××........

