ବର୍ଷା ତୁମକୁ ଛୁଇଁଲା ପରେ
ବର୍ଷା ତୁମକୁ ଛୁଇଁଲା ପରେ
ବରଷା ତୁମକୁ ଛୁଇଁଦେଲା ଯେବେ
ଭିଜିଗଲ ତୁମେ ସଖୀ
ତୁମ ମନତଳେ ସପନ ଖେଳିଲା
ରଙ୍ଗ ବୋଳିହେଲା ଆଖି I
ପିନ୍ଧା ବସନକୁ ଦେହରେ ତୁମର
ଖୁସିରେ ଜଡାଇ ଦେଲା
ତୁମ ଓଦାଦେହ ଓଦା ବସନରେ
ଚିକ୍ ଚିକ୍ କରୁଥିଲା I
ଟୋପାଟୋପା ହୋଇ ମୁହଁରୁ ଲୋ ସଖୀ
ଝରି ଯାଉଥିଲା ମୋତି
ଦେହରୁ ତୁମର ଆଲୋକ ଝରିଲା
ଉଙ୍କି ମାରୁଥିଲା ପ୍ରୀତି I
ଭାବନାରେ ତୁମ ମଳୟ ବୋହିଲା
ଆଖି ନଇଁଗଲା ଲାଜେ
ଚାରିଆଡେ ଖାଲି ଆଲୁଅ ଦିଶିଲା
ତୁମରି ଦେହର ତେଜେ I
ସାତସୁର ଦେଇ ଗୀତ ଗାଇ ଗାଇ
ବସିଗଲ ହୃଦୟରେ
ଭଲ ପାଇବାର ଅଗାଧ ସାଗର
ସୃଷ୍ଟିହେଲା ମନତଳେ I
ଆଲିଙ୍ଗନ କରି ଗଣ୍ଡଦେଶେ ତୁମ
ଚୁମାଟିଏ ଦେଲି ଆଙ୍କି
ଅତି ସରାଗରେ ମୋ ପାଖରେ ବସି
ହସିଦେଲ ତୁମେ ସଖୀ I

