ଦୁହିତା
ଦୁହିତା
ଜନମ ମାଟିର ସ୍ନେହ ,ମମତା ର
ପ୍ରୀତି ପାରେ ନାହିଁ ରଖି
ଏନ୍ତୁଡ଼ି ଶାଳର ଅତିଥି ଆମର
ବିଧାତା ଦେଇଛି ଲେଖି ।୧।
ବିଚିତ୍ର ଦୁନିଆ ଜନମ କନିଆ
ତା ପାଇଁ ଦୁଇଟି ନିଆଁ
ଜନମ ମାଟିର ମୋହ ଷଠିଘର
ଶାଶୁ ଘରେ ଶେଷ ନିଆଁ ।୨।
ରକତ ଦେଇଛି ଶରୀର ଗଢିଛି
ଅମୃତ ଦେଇକି ଜୀବ
ସ୍ନେହ ମମତାରେ ବାନ୍ଧି କରିଧରେ
କେମିତି ଦୂରେଇ ଦେବ ? ।୩।
ମାତା ଲକ୍ଷ୍ମୀ ଙ୍କର ସ୍ୱରୂପ ତାହାର
ଘରେଥିଲେ ଫୁଟେ କଇଁ
ଯା କତି ମାଡ଼ଇ ସୁବର୍ଣ୍ଣ ହୁଅଇ
ପାଦ ପଡ଼େ ଯେଉଁ ଠାଇ।୪।
ପବିତ୍ର ବନ୍ଧନ ପଡେ ଯେଉଁଦିନ
ଠିକଣା ବଦଳି ଯାଏ
ପିତା ବଦଳରେ ପତି ଲେଖା ହୁଏ
କୁଳ ବଧୂ ଆଖ୍ୟା ପାଏ।୫।
ଜନମ ମାଟିର କୁଣିଆ ଆମର
ଶଶୁର ତା ପାଇଁ ପିତା
ଦୁଇଟି କୁଳ କୁ ବାନ୍ଧି ରଖିବାକୁ
ପ୍ରୟାସ କରେ ଦୁହିତା ।୬।
ପରାଧୀନ ତାର ଜୀବନ ସାଗର
ଆକଟ ଜଞ୍ଜିର ବେଡ଼ି
ଶୈଶବ କାଳରେ ପିତା ଅଧୀନରେ
ସ୍ନେହ ମମତାରେ ବଢ଼ି।୭।
ଚଲା ପଥ ତାର କେତେ ଯେ ବନ୍ଧୁର
ତା ପାଇଁ କୁଳ ସମ୍ମାନ
ଶାଶୁ ଘର ମାନ ସ୍ୱାମୀର ଅଧୀନ
ଖୋଜେନା କେବେ ସ୍ବାଧୀନ ।୮।
ଯଶ କିର୍ତ୍ତି ମାନ ସବୁ ତାର ଦାନ
ମଥାରେ ଓଢ଼ଣୀ ଥିଲେ !
ବିପଦ ବେଳରେ ଦୁର୍ଗତି ନାସିନି
ଦୁହିତା କୁଳରେ ଥିଲେ ।୯।
ଦୁଇ କୂଳ କେବେ ଏକାଠି ହୁଏନା
ଲହଡ଼ି ପିଟଇ ମଥା
ସଂସାର ସାଗରେ ବିପରୀତ ନୀତି
ଦୁହିତା ନ ଥିଲେ ବୃଥା।୧୦।
ତା ପାଇଁ ସମସ୍ତେ ଆତ୍ମୀୟ ସ୍ୱଜନ
ପତି ପାଇଁ ସାବିତ୍ରୀ ବ୍ରତ
ଭାଇ ପାଇଁ କରେ ଭାଲୁକୁଣି ଓଷା
ପରିବାର ପାଇଁ ସେତ ।୧୧।
ଦୁ - ଇଟି କୁଳ କୁ ଏକ କରିବାକୁ
ଗଢିଛି ତାକୁ ବିଧାତା
ତାପାଇଁ ସଂସାର ହୁଏ ସ୍ଵର୍ଗ ପୁର
ନାମ ଟି ତାର ଦୁହିତା ।୧୨।
.......... 👧 ..........

