ହାତ ଧରି ବାଟ ଚାଲୁଥିବି
ହାତ ଧରି ବାଟ ଚାଲୁଥିବି


ଭଲ କରି ହାତ ଧର ମୋର ସଖୀ
ବରଷା ଆସୁଛି ମାଡି
ଚମକି ଉଠୁଛି ଆକାଶେ ବିଜୁଳୀ
ଶୁଭିଲାଣି ଘଡଘଡି I
ତୁମ ସହ ଯିବି ବହୁ ଦୂର ବାଟ
ଘରୁ କାଢିଛି ମୁଁ ପାଦ
ଅଦିନ ବରଷା ଦେଖି ଦେଖି ମନେ
ଘୋଟିଲାଣି ଅବସାଦ I
ଆଗରେ ଦିଶୁଛି ବଢନ୍ତା ନଈ ଲୋ
ଅକାତ କାତ ତା ପାଣି
ଆଗକୁ ଯିବାକୁ ବାଟ କେଉଁ ଆଡେ
ପାରୁନି ମୁଁ ସଖୀ ଜାଣି I
ନଈରେ ଦିଶୁଛି ନଉକା ଗୋଟିଏ
ନାଉରୀ ଦିଶୁନି କାହିଁ
ଆସ ଆସ ସଖୀ ନାଆରେ ବସିବା
ପାରି ହେବାପାଇଁ ନଈ I
ତୁମେ ଧରିଥିବ ମୋ ହାତକୁ ସଖୀ
ମୁଁ ହାତେ ଧରିବି କାତ
ସେ କୂଳରେ ନାଆ ଲାଗିବ ଯେବେଳେ
ଦିଶିଯିବ ଚଲା ବାଟ I
ଥମି ଯାଇଥିବ ଝଡ ବରଷା ଲୋ
ଛାଡି ଯାଇଥିବ ବଢି
ହାତେ ହାତ ରଖି ପାଦେ ପାଦ ଛନ୍ଦି
ଆଗକୁ ଯିବା ଲୋ ମାଡି I