ଅଶାନ୍ତ ମନର ଗୀତି
ଅଶାନ୍ତ ମନର ଗୀତି
ମନତଳେ ମୋର ହଜାରେ ଫଗୁଣ
ଦେଇଥିଲ ସଖୀ ବୁଣି
ତଥାପି କେମିତି ନିର୍ଦ୍ଦୟ ହୋଇଲ
ହୃଦୟକୁ ଦେଲ ହାଣି I
ଭଲ ପାଇବାର ମହା ମହୋତ୍ସବ
ପାଳୁଥିଲି ମନେ ମନେ
ଭାବି ନଥିଲି ମୁଁ ଭଙ୍ଗା ହୃଦୟର
ଶବ୍ଦ ଶୁଣିବି କାନେ I
ତୁମ ମନ ସହ ମୋ ମନ ମିଶାଇ
ଗଢିଥିଲି ସ୍ୱର୍ଗପୁର
ଜାଣି ପାରିଲିନି କାହିଁକି ଲୋ ସଖୀ
ଆଖି ହେଲା ଛଳଛଳ I
ପ୍ରୀତିର ପାର୍ବଣ ପାଳିବି ବୋଲି ମୁଁ
କେତେ କରିଥିଲି ଆଶା
ବାଇ ଚଢେଇ ମୁଁ ନିରାଶ୍ରୟ ହେଲି
ଭାଙ୍ଗିଗଲା ମୋର ବସା I
ମନଖୋଜେ ଯାହା ମିଳେନାହିଁ ବୋଲି
ଶୁଣିଥିଲି ଦିନେ ସଖୀ
ମୋ କପାଳେ ବିହୀ ଲେଖିଦେଲା ତାହା
ଲୁହ ଢାଳିଲା ମୋ ଆଖି I
ତଥାପି ଲୋ ସଖୀ ପ୍ରେମର କଳସ
ମଥାରେ ରଖିଛି ଧରି
ତୁମରି ନାମକୁ ଜପାମାଳି କରି
ଏ ଜୀବନ ଯାଉ ସରି ।

