ଲୁଣ
ଲୁଣ
ଶୀତଳ ସମୀର ବହେ ଧିର ଧିର
କେଶ ଉଡେ ଫର୍ ଫର୍
ଅନନ୍ୟ ସୁନ୍ଦରୀ ରାଜ ହଂସି ପରି
ଚାଲେ ହୋଇ ତର ତର ।।
ବଉଦ ଉହାଡେ ସୁଦୂର ପାହାଡ଼େ
ଉଙ୍କି ମାରଇ ଆନନ
ବ୍ୟାକୁଳ ଚିତ୍ତରେ ଖୋଜେ ବିଷାଦରେ
ଉଜାଗର ଦିନ ମାନ ।।
ରତ୍ନାକର ନେତ୍ର ରୂପରେ ମୋହିତ
ନଜାଣି ଅତିତ କଥା
ସତୀ ସାଥେ ଲଗ୍ନ ପ୍ରସ୍ତାବରେ ମଗ୍ନ
ବାରିଧିର ଘୁରେ ମଥା ।।
ସାଗର କଥାରେ ଉମା କୁହେ ଧିରେ
ଶଙ୍କର ମୋହର ପତି
ତାଙ୍କ ଛଡ଼ା କେହି ଏହି ଜୀଵନରେ
ହେବେନାହିଁ ମୋର ସାଥି ।।
ତିରସ୍କାର କରି ସାଗର କୁହଇ
ସତୀର ପତିକୁ ନେଇ
ଅମ୍ବିକା ରାଗିଲେ ଅଭିଶାପ ଦେଲେ
ତୋଜଳ ଲବଣ ହେଉ ।।
ମଧୁର ତୋ ପାଣି ଭାରି ତୋ ଫୁଟାଣି
ତୁଟି ଯାଉ ତୋ ଗରବ
ପଶୁ ପକ୍ଷୀ ନର ନପିଇବେ ନିର
ଅଲୋଡ଼ା ହୋଇ ରହିବ ।।
କାମରେ ଆସକ୍ତି ହୋଇ ନାରୀ ପ୍ରତି
ଭୁଲିଲୁ ପଦ ମଦର୍ଯ୍ୟା
ଉଚ୍ଚ କୁଳେ ଜାତ ଭୁଲି ଜାତି ଗୋତ୍ର
ଭାବିଲୁ କରିବୁ ଭାର୍ଯ୍ୟା ।।
ଦେଖୁ ଦେଖୁ ଜଳ ଘୋଟିଗଲା କାଳ
ମଧୁର ହେଲା ଲବଣ
ମଳିନ ପଡ଼ିଲା ଗୁଣ ତା ହାରିଲା
ଉଡି ଗଲା କି ପରାଣ! ।।
ସମୁଦ୍ରର ଜଳ ସେଥିରୁ ଅମଳ
ଲବଣ ହୁଅଇ ନିତି
ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୁଏ
ଚୁହ୍ଲି ମୁଣ୍ଡେ ଲୋଡା ନିତି।।
ଲୁଣ ବିନା ଖାଦ୍ୟ ହୁଏନି ସୁସ୍ୱାଦ
ପାଟିକି ରୁଚେନା କିଛି
ରକ୍ତ ଚାପ ରୋଗି ଦୂରେ ରୁହେ ଭାବି
ପାଶେ ନ ମାଡ଼ନ୍ତି ମାଛି ।।
ସମୁଦ୍ର ର ଲୁଣ ବହୁତ ତା ଗୁଣ
ବିଭିନ୍ନ କାମରେ ଆସେ
ଶରୀର ଭିତରେ ସନ୍ତୁଳନ କରେ
କାହାକୁ କେବେ ନ ବାସେ ।।
କ୍ଷୀର ପରି ରଙ୍ଗ ଲବଣ ର ଅଙ୍ଗ
ଆର୍ଥିଙ୍ଗରେ ହୁଏ ପୁରା
ମନ୍ତୁରା ଲୁଣରେ ଝଡ଼ଣ ହୁଏରେ
ଛୋଟ ପିଲାଙ୍କର ପରା ।।
ଅଧିକ ସେବନ ମୃତ୍ୟୁ ଆଗମନ
କମି ଗଲେ ରୋଗଗ୍ରସ୍ଥ
ଆବଶ୍ୟକ ମାନ କଲେ ନିତି ପାନ
ଶରୀର ରୁହଇ ସୁସ୍ଥ ।।
..... ×××......

