ଶେଷ ଠିକଣା
ଶେଷ ଠିକଣା
ତୁମେ ମୋ ମନ ବନର ସୁନା ମଇନା
ଖେଳୁଥିଲ ହସୁଥିଲ
କରି ବାହାନା ।
ତୁମେ ମୋ.......।
ଚୁନାଚୁନା ସ୍ଵପ୍ନ ବୁଣି ମୋ ଆଖିରେ
ତୁମ ସାଥେ ଉଡିବାକୁ ଡେଣା ଯୋଖିରେ
ରଙ୍ଗ ଭରୁଥିଲ
ମଙ୍ଗ ଭିଡୁଥିଲ
ରଙ୍ଗରେ ଢଙ୍ଗରେ କେତେ ନୀଳ ନୟନା ।
ତୁମେ ମୋ.......
ଆକାଶର ନିଳିମାକୁ ଦେହେ ଲଗାଇ
ସୁନାଝରା ସକାଳରେ ଶିଶିର ନାଇ
ଡେଣା ଝାଡୁଥିଲ
ଅଣ୍ଟା ଭିଡୁଥିଲ
ଚତୁରେ ଚାତୁରୀ ଭରି ଚମ୍ପାବରଣା ।
ତୁମେ ମୋ.... ।
ଛାଇର ଆଲୁଅ ତଳେ ଖେଳ ଜମେଇ
ତାରାଫୁଲ ଅଗଣାରେ ମନକୁ ମୋହି
ନିଜେ ଭିଜୁଥିଲ
ମୋତେ ଭିଜାଇଲ
ନାଚିଲ ଝୁଲାଇ କେତେ ମେଘଝୁଲଣା ।
ତୁମେ ମୋ......
ଜହ୍ନର ଜୋଛନା ହସେ ହସ ମିଶାଇ
ନାଚୁଥିଲ ମୋ ସାଥିରେ ତାଳ ପକେଇ
ମୋତି ଝରୁଥିଲା
ରାତି ସରୁଥିଲା
କୁମୁଦ ଓଠରେ ନାଇ ଲାଜ ଗହଣା ।
ତୁମେ ମୋ.....
ନିଶିଥିନୀ କଳାକୁଞ୍ଜେ ହୀରକ ପରି
ଝଟକାଇ ଅଙ୍ଗବାସ ସୁହାଗ ଭରି
ମନ ଚୋରିକଲ
ଧ୍ୟାନ ଭାଙ୍ଗିଦେଲ
ସରାଗେ ହଜାଇ ମୋର ଶେଷ ଠିକଣା ।
ତୁମେ ମୋ...।

