ପଖାଳ କଂସାରେ ଓଡ଼ିଆ ସଂସ୍କୃତି
ପଖାଳ କଂସାରେ ଓଡ଼ିଆ ସଂସ୍କୃତି
ଓଡ଼ିଆଣୀ ପଖାଳ କଂସା
ଆହା ! କେଡ଼େ ମହକ
ଓଡ଼ିଆ ସଂସ୍କୃତିର ଜ୍ୟୋତି
ଦିଶଇ ଝକମକ ।
ବରଷକ ବାରମାସରେ
ପ୍ରିୟ ଚଷା ପୁଅର
ଗରିବ ହାଣ୍ଡିରେ ଅମୃତ
ସମ ତା'ର ଆଦର ।
ଚୁଙ୍ଗୁଡି଼ ବେସର ପୋଡ଼ାକୁ
ମାଛଭଜାକୁ ଲୁଣ
କଂସା ଚଉପାଶେ ଧନୀର
ସିନା ନାନା ବ୍ୟଞ୍ଜନ ।
ତରକାରୀ ଲୋଡ଼ା ପଡେନି
ଅଭାବୀ ସଂସାରରେ
ବଡ଼ ଭାତ ସାନ ଭାତରେ
ସକଳ ପେଟ ପୂରେ ।
ଲଙ୍କା ଲୁଣ ମୁଠିଏ ଭାତ
ଦଳି ଖାଏ ହରଷ
ତୋରାଣି ମୁନ୍ଦିଏ ପେଟକୁ
କ୍ଷେପି ହୁଅଇ ତୋଷ ।
ଗ୍ରୀଷମ ଛୁଇଁଲେ ପଖାଳ
ଧନୀ କିବା ଗରିବ
ସନ୍ତୁଷ୍ଟି କରଇ ସକଳେ
ସତେ କି ସେ ବିଭବ !
ଶ୍ରୀଜୀଉଙ୍କ ଟଙ୍କ ତୋରାଣି
ମହମହ ବାସରେ
ଭକତଙ୍କ ତୃଷା ମେଣ୍ଟାଇ
ମୋହେ ଭାବଭକ୍ତିରେ ।
ମାଟି ପିଣ୍ଢାଠାରୁ ହୋଟେଲ
ପଞ୍ଚତାରକା ହେଉ
ସବୁଠାରେ ଆଜି ପଖାଳ
ଦେଖାଇଛି ତା' ଭାଉ ।
ଓଡ଼ିଆଣୀ ମାଟିହାଣ୍ଡିରୁ
ବାସି ତା'ର ସୁବାସ
ପହଞ୍ଚିଯାଇଛି ଏବେ ସେ
ପରା ଦେଶବିଦେଶ ।
ଓଡ଼ିଆ ସଂସ୍କୃତି ଦିଶଇ
ତା' ପଖାଳ କଂସାରେ
ତାକୁ ଭୁଲି ରହି ପାରେନା
କେହି ଆମ ମାଟିରେ ।
