STORYMIRROR

Binodini Dash

Inspirational

4  

Binodini Dash

Inspirational

ପଖାଳ କଂସାରେ ଓଡ଼ିଆ ସଂସ୍କୃତି

ପଖାଳ କଂସାରେ ଓଡ଼ିଆ ସଂସ୍କୃତି

1 min
363


ଓଡ଼ିଆଣୀ ପଖାଳ କଂସା

ଆହା ! କେଡ଼େ ମହକ

ଓଡ଼ିଆ ସଂସ୍କୃତିର ଜ୍ୟୋତି

ଦିଶଇ ଝକମକ ।


ବରଷକ ବାରମାସରେ

ପ୍ରିୟ ଚଷା ପୁଅର

ଗରିବ ହାଣ୍ଡିରେ ଅମୃତ

ସମ ତା'ର ଆଦର ।


ଚୁଙ୍ଗୁଡି଼ ବେସର ପୋଡ଼ାକୁ

ମାଛଭଜାକୁ ଲୁଣ

କଂସା ଚଉପାଶେ ଧନୀର

ସିନା ନାନା ବ୍ୟଞ୍ଜନ ।


ତରକାରୀ ଲୋଡ଼ା ପଡେନି

ଅଭାବୀ ସଂସାରରେ

ବଡ଼ ଭାତ ସାନ ଭାତରେ

ସକଳ ପେଟ ପୂରେ ।


ଲଙ୍କା ଲୁଣ ମୁଠିଏ ଭାତ

ଦଳି ଖାଏ ହରଷ

ତୋରାଣି ମୁନ୍ଦିଏ ପେଟକୁ

କ୍ଷେପି ହୁଅଇ ତୋଷ ।


ଗ୍ରୀଷମ ଛୁଇଁଲେ ପଖାଳ

ଧନୀ କିବା ଗରିବ

ସନ୍ତୁଷ୍ଟି କରଇ ସକଳେ

ସତେ କି ସେ ବିଭବ !


ଶ୍ରୀଜୀଉଙ୍କ ଟଙ୍କ ତୋରାଣି

ମହମହ ବାସରେ

ଭକତଙ୍କ ତୃଷା ମେଣ୍ଟାଇ

ମୋହେ ଭାବଭକ୍ତିରେ ।


ମାଟି ପିଣ୍ଢାଠାରୁ ହୋଟେଲ

ପଞ୍ଚତାରକା ହେଉ

ସବୁଠାରେ ଆଜି ପଖାଳ

ଦେଖାଇଛି ତା' ଭାଉ ।


ଓଡ଼ିଆଣୀ ମାଟିହାଣ୍ଡିରୁ

ବାସି ତା'ର ସୁବାସ

ପହଞ୍ଚିଯାଇଛି ଏବେ ସେ

ପରା ଦେଶବିଦେଶ ।


ଓଡ଼ିଆ ସଂସ୍କୃତି ଦିଶଇ

ତା' ପଖାଳ କଂସାରେ

ତାକୁ ଭୁଲି ରହି ପାରେନା

କେହି ଆମ ମାଟିରେ ।





Rate this content
Log in

Similar oriya poem from Inspirational