ପଖାଳ କଂସାରେ ଓଡ଼ିଆ ସଂସ୍କୃତି
ପଖାଳ କଂସାରେ ଓଡ଼ିଆ ସଂସ୍କୃତି
ପଖାଳ କଂସାରେ ଓଡ଼ିଆ ସଂସ୍କୃତି
ବଞ୍ଚି ବଞ୍ଚାଇ ରଖିଥିଲା ଜାତିର ପ୍ରାଣ
ବଜାଇ ରଖିଥିଲା ପୁଣି ଜାତିର ସ୍ଵାଭିମାନ
ଗର୍ବ ଗୌରବ ଅକ୍ଷୁର୍ଣ୍ଣ ରଖି ସାରା ବିଶ୍ଵେ
ଉଡ଼ାଇ ଚାଲିଥିଲା ତାର ବିଜୟ ଧ୍ବଜା
କୃଷି କାରିଗରୀ ଥିଲା ମୌଳିକ ବୃତ୍ତି
ଧନଧାନ୍ୟେ ପରିପୂର୍ଣ୍ଣ ଥିଲା ରାଇଜ
ସକାଳ ସଂଜେ ପଖାଳ ଖାଇ
ଓଡ଼ିଆ ପୁଅ କରୁଥିଲା ବହୁ ପରିଶ୍ରମ
ପାଉଥିଲା ସେ ଶାନ୍ତି ତୃପ୍ତି ଦୂରାଇ କ୍ଷୁଧା
ପେଟ ବିକଳେ ହାତ ପାତୁ ନଥିଲା
ଗୋଡ଼ଭାଙ୍ଗି ତାର କାହା ପାଦ ତଳେ
ଥିଲା ସେ ସ୍ବତନ୍ତ୍ର ସ୍ଵାଧୀନତା ଚେତା
ବୁଝୁଥିଲା ଜାତିର ମାନ ମର୍ଯ୍ୟାଦା
ପଖାଳ ଖାଇ ଖୁସି ଆନନ୍ଦରେ ବଞ୍ଚୁଥିଲା
ନଥିଲା ତାର ଦୁର୍ବଳ ମନ ରୁଗ୍ଣ ଜୀବନ
ଅଭାବ ଭିତରେ ରଖୁଥିଲା ସ୍ଵଭାବ
ଖାଇବାରେ ରଖୁ ନଥିଲା ଲୋଭ ମୋହ
ସାମାଜିକ ଚିତ୍ର ଚରିତ୍ର ଥିଲା ବଳିଷ୍ଠ
ପବିତ୍ର ସଂପର୍କରେ ରଖୁଥିଲା ଏକତା
ପରସ୍ପରରେ ଥିଲା ସାହାଯ୍ୟ ସହଯୋଗ
ଚାଲି ଥିଲା କାନ୍ଧକୁ ମିଳାଇ କାନ୍ଧ
ହସୁଥିଲା ମାଆ ମାଟି ଜନ୍ମଭୂମି
ମମତାର ଫଲ୍ଗୁ ହେଉଥିଲା ପ୍ରବାହିତ
ପଖାଳ ଦେଉଥିଲା ସଂସ୍କୃତିର ପରିଚୟ
ଅନନ୍ୟ ନିଆରା ତାର ରୁଚିକର ସ୍ଵାଦ
ଭୁଲିଛି ଜାତି ସେ ପଖାଳ କଂସାର ମହାତ୍ମ୍ୟ
ଚଢ଼ି ସଭ୍ୟତାର ଉଚ୍ଚ ସୋପାନ
ନଅ ଭଜା ସାତ ତୁଣରେ ପୁରୁନି ପେଟ
କାମନାର ନିଶାରେ ଖାଇବା ପାଇଁ ବଞ୍ଚୁଛି
ଲଙ୍କା ପିଆଜ ଶାଗ ବଡ଼ିଚୁରା କରେ ଥୁ ଥୁ
ଖାଇଲେ ପଖାଳ ଭୋଗୁଛି ପେଟ ଯନ୍ତ୍ରଣା
ବାଛି ବାଛି ଖାଏ ସବୁ ସୁମିଷ୍ଟ ଖାଦ୍ୟ
ତଥାପି କାହିଁକି ଗ୍ରାସକରେ ଅକାଳ ବାର୍ଦ୍ଧକ୍ୟ
ଭାଙ୍ଗିଯାଏ ସୁନ୍ଦର ସ୍ଵାସ୍ଥ୍ୟ ହୁଏ ରୋଗାକ୍ରାନ୍ତ
ସକାଳର ପଖାଳରେ ନାହିଁ ଆଦର
ସଂସ୍କୃତିକୁ ଭୁଲି ଆଗୁଆ ହୋଇଛି କିଏ
ନୂତନତ୍ବର ଆବିଷ୍କାର ମାନେ ନୁହେଁ
ପ୍ରାଚୀନତାକୁ ଏ ଜାତି ଭୁଲିଯିବ ସବୁଦିନେ।
