STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପଖାଳ କଂସା

ପଖାଳ କଂସା

1 min
337

ମହକେ ମାଟିର ମହୁଆ ସୁଗନ୍ଧ

ପଖାଳ କଂସାର ସରସୀ କୂଳେ

ଜୀବନ ଝାଞ୍ଜି

ବହି ଯେବେ ଦିଏ ଦମ୍ଭକୁ ଭାଜି

ଭିଜାଇ ଦିଏ ତା ଶୀତଳ ଜଳେ

ପଖାଳ ପରଶେ ମଧ୍ୟାହ୍ନ ଢଳେ।।


ସଂସାର ଜହରେ ମଉଳେ ଜୀବନ

ଖୋଜେ ପୀୟୁଷର ମୋହିନୀ ଧାରା

ଭୋକର ସାହା

ଭରି ଦେଇ ଥାଏ ତୃପ୍ତିର ଆହା

ଲିଭାଇ ସକଳ ଲାଳସାର ଜ୍ଵାଳା

ମୋକ୍ଷ ଲଭେ ସତେ ଅଧର ଧରା।।


ଦିନର ଦହନେ ବାଷ୍ପୀଭୂତ ହୁଏ

ଶାନ୍ତିର ଶୀତଳ ସଲିଳ ବୁନ୍ଦା

ପ୍ରତୀକ୍ଷା ଥାଏ

କେବେ ରସନାଗ୍ର ଭିଜିବ ହାଏ

ସେ ମୋର ପ୍ରାଣର ଅଳକାନନ୍ଦା

ଭୋକ ସଦା ମୋର ତା ବିନା ଅଧା।।


ସୁବାସିତ ତାର ସୁମଧୁର ବାସ୍ନା

ତୀବ୍ର ଆଲୋଡ଼ନେ ଜଗାଏ ଆଶା

ଅଭାବୀ ଦେଶେ

ଭରିଦିଏ ଭାବ ମୃଦୁ ପରଶେ

ସ୍ଵାଦ ବର୍ଣିବାକୁ ମିଳେନା ଭାଷା

ଅନୁଭବୀ ସିନା ଜାଣେ ତା ନିଶା।।


ପୁର ଠାରୁ ପୁରୁଷୋତ୍ତମ ପର୍ଯ୍ୟନ୍ତ

ଛୁଇଁ ଯାଏ ତାର ଶ୍ୱେତ ତରଙ୍ଗ

ଶ୍ରୀଜଗନ୍ନାଥ

ସନ୍ଧ୍ୟା ଧୂପେ ଭୁଞ୍ଜି ପଖାଳ ଭାତ

ଅଳସ ଭାଙ୍ଗନ୍ତି ଭିଡ଼ି ଶ୍ରୀଅଙ୍ଗ

ଆହା ପଖାଳର କେଡ଼େ ସୌଭାଗ୍ୟ ! !


ଓଡ଼ିଶାର ଅଭିମାନକୁ ସାଇତି

ବହେ ପଖାଳର ଜୀବନୀ ସ୍ରୋତ

ଜାବୁଡ଼ି ଧରି

ରଖିଛି ମର୍ଯ୍ୟାଦା ତା ଦମ୍ଭ କରି

କିଏ କହେ ତାକୁ ଗରୀବ ସଙ୍ଗାତ

ଆଜି ବିଶ୍ୱେ ଦେଖ କେଡ଼େ ଆଦୃତ।।



Rate this content
Log in

Similar oriya poem from Abstract