STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପଖାଳ କଂସା

ପଖାଳ କଂସା

1 min
365

ସେ କଂସାରେ ଲହଡ଼ି ଭାଙ୍ଗେ

ପ୍ରତି ଓଡ଼ିଆର ଜୀବନ ଓ ସ୍ୱାଭିମାନ,

ଉଦରସ୍ଥ ହୁଏ ଯେବେ ଆକଣ୍ଠ ପର୍ଯ୍ୟନ୍ତ

ତୃପ୍ତ ହୁଏ ଅବିଳମ୍ବେ ଦେହ ମନ ପ୍ରାଣ। 


ଆତ୍ମୀୟତାର ତୋରାଣୀରେ ଉବୁଟୁବୁ ହୁଏ

ଭୋକର ରୁକ୍ଷ କଳେବର,

ଏକ ଅବ୍ୟକ୍ତ ପ୍ରଶାନ୍ତିର ଧାରା ବହିଯାଏ 

ପାଇ ତାର ସ୍ୱାଦ ସୁମଧୁର। 


ବାନ୍ଧିନିଏ ଭଙ୍ଗା ସମ୍ପର୍କକୁ

ଭିଜେଇ ତା ଶ୍ରଦ୍ଧାବୋଳା ସ୍ୱାଦିଷ୍ଟ ତୃପ୍ତିରେ,

ତାର ଖଟା ମିଠା ଅମୀୟ ଧାରାରେ

ମେଣ୍ଟି ଯାଏ ପୁରାତନ ତୃଷ୍ଣା ଭୋଜନ ଉତ୍ତାରେ। 


ପରିଚୟ ଓଡ଼ିଶାର ସେ ପଖାଳ କଂସା

ଧମନୀରେ ବହେ ତା ରୁଧିର,

ନିଦାଘର ନିଶ୍ବାସରେ ଉଡ଼େ ଯେବେ ହଂସା

ସେ ପଖାଳ ଆଶ୍ରା ଜୀବନର। 


ଛପନ ଭୋଗର ଶୋଭା ସେ ପଖାଳ

ସନ୍ଧ୍ୟା ଧୂପେ ଶ୍ରୀମନ୍ଦିରେ ହୁଏ ଯେବେ ଲାଗି,

ମହାନନ୍ଦେ ଦାରୁ ଦିଅଁ ଭୁଞ୍ଜି ସେ ବ୍ୟଞ୍ଜନ

ଭକତଙ୍କୁ ଯାଚି ଦ୍ୟନ୍ତି ଯେ ଥାଏ ଯା ମାଗି। 


ବଡ଼ସିଂହାର ବେଶରେ ପ୍ରଭୁ ଲିଙ୍ଗରାଜ

ସେବନ୍ତି ପଖାଳ ସହ କଦଳୀର ଭଜା 

ମାଣବସା ଗୁରୁବାରେ ମହାମାୟୀ ଶରଧାର

ପଖାଳ କଳମ ଶାଗ ପାଇ ହୋନ୍ତି ପୂଜା। 


ଶ୍ରମ ଝାଳେ ଚାଷୀ ହୁଏ ଯେବେ କ୍ଳାନ୍ତ

ପଖାଳ ତା ଦେହେ ପ୍ରାଣ ସଞ୍ଚାରେ,

ବାସି ପଖାଳର ଆମ୍ବିଳ ତୋରାଣି

ବାଧିକର ପିତ୍ତ ଦୋଷକୁ ହରେ। 


ଧନ୍ୟ ସେ ପଖାଳ କି ସଞ୍ଜ ସକାଳ

ମୋହିନିଏ ଚିତ୍ତ ବେଳ କି ଅବେଳ,

ଓଡ଼ିଆର ପ୍ରାଣ ଜୀବନର ଧନ

ଉଦାସ ଜୀବନେ ମୃଦୁ ହାସ୍ୟରୋଳ। 



Rate this content
Log in

Similar oriya poem from Abstract