ପିତୃଦେବୋ ଭବ
ପିତୃଦେବୋ ଭବ
ପରମ ପିତା ଯେ ଅଟନ୍ତି ଈଶ୍ୱର ପ୍ରଭୁ ସ୍ବୟଂ ଜଗଦୀଶ
ବିଶ୍ବବ୍ରହ୍ମାଣ୍ଡର ସେ ମହାନାୟକ କରେ ମୁଁ ଭକ୍ତି ଅଶେଷ ।
ସ୍ରଷ୍ଟା-କର୍ତ୍ତା-ଭର୍ତ୍ତା-ବନ୍ଧୁ-ପ୍ରାଣଦାତା ତୁମେ ହିଁ ପ୍ରିୟସୋଦର
ତୁମ ବ୍ଯତିରେକ ସର୍ବଶୂନ୍ଯ ପ୍ରଭୁ ଆଶ୍ରୟଦାତା ପ୍ରାଣୀର ।
ତୁମେ ଗତି-ମୁକ୍ତି-ସର୍ବଶକ୍ତିମାନ ତୁମେ ହେ ମଙ୍ଗଳମୟ
ହେ ବିଶ୍ବ ପାଳକ ବୁଦ୍ଧି ପ୍ରଦାୟକ ସ୍ବାମୀ ତୁମେ ବରାଭୟ ।
ପିତାମହଙ୍କର ପିତା ଅଟ ତୁମେ ଜଗତ ପ୍ରପିତାମହ
ବ୍ରହ୍ମାଙ୍କ ନନ୍ଦନ ସନକାଦି ଋଷି ତୁମେ ହିଁ ବିଶ୍ବ ପୂଜାର୍ହ ।
ଋଷିମାନେ ଆମ ଅଟନ୍ତି ପୂର୍ବଜ ଆମ ପିତା ତାଙ୍କ ପୁତ୍ର
ପିତାଙ୍କ ଔରସୁ ଆମର ଉତ୍ପତ୍ତି ପୂର୍ବଜଙ୍କ ଆମେ ପୌତ୍ର ।
ପିତା ଯେ ଅଟନ୍ତି ଦେବତା ସଦୃଶ ଆମ ପୂଜ୍ଯ ଜନ୍ମଦାତା
ପ୍ରଭୁଙ୍କ ଅଶେଷ କୃପା ବଳେ ପିତା କଲେ ସଂସାରେ ପ୍ରତିଷ୍ଠା ।।
ଲାଳନ-ପାଳନ-ରକ୍ଷାକର୍ତ୍ତା ରୂପେ ସହାୟ ହୁଅନ୍ତି ପିତା
ପିତା ଶବ୍ଦକୁ ସେ ସାର୍ଥକ କରନ୍ତି ନକରିଣ ଅନ୍ୟ ଚିନ୍ତା ।
ପଞ୍ଚବିଧ ପିତା ଅଛନ୍ତି ଜଗତେ ଏହା ଯେ ନିଶ୍ଚିତ ସତ୍ୟ
ଜନ୍ମ-ଅନ୍ନ-ବିଦ୍ଯାଦାତା ଭୟତ୍ରାତା କରନ୍ତି ସଂସ୍କାର ବ୍ରତ ।
ସଂସାରର ରକ୍ଷା ନିମନ୍ତେ ଯେ ପିତା ଇଚ୍ଛନ୍ତି ସର୍ବଦା ସୁତ
ପିତାଙ୍କର ଆତ୍ମା ସଦୃଶ ଯେ ପୁତ୍ର ଔରସୁ ହୁଏ ସମ୍ଭୃତ ।
'ପୁତ୍' ନାମକ ନର୍କରୁ ପିତାଙ୍କୁ ଉଦ୍ଧାର କରେ ସୁପୁତ୍ର
ପିତାଙ୍କର ସେବା ପୁତ୍ରର ଧରମ ପରମ କର୍ତ୍ତବ୍ୟ ମାତ୍ର ।
ଆବାଲ୍ଯଯୌବନ ପିତା ପୁତ୍ର ପାଇଁ କରିଥାନ୍ତି ବହୁଯତ୍ନ
ଉପଯୁକ୍ତ ଭକ୍ତି-ସେବା-ସନ୍ତୋଷରେ ତାଙ୍କୁ କରିବା ସମ୍ମାନ ।
ପିତ୍ରାଜ୍ଞାପାଳନ ପୁତ୍ରର କର୍ତ୍ତବ୍ୟ ସମସ୍ତଙ୍କ ହେଉ ଧ୍ଯେୟ
ଆଜ୍ଞାବହ ହୋଇ କରୁଥିବି ନିତ୍ୟ ତାଙ୍କ ବାକ୍ଯ ମଣି ଶ୍ରେୟ ।
ପିତ୍ରାଦେଶ ମାନି ସୁପୁତ୍ର ଶ୍ରୀରାମ କରିଥିଲେ ବନବାସ
ତାହାଙ୍କୁ ଦେବତା ଜ୍ଞାନ କରି ପ୍ରଭୁ ଭକ୍ତି କରିଲେ ଅଶେଷ ।
ବସୁଦେବ ଆଉ ନନ୍ଦରାଜାଙ୍କର ସୁନନ୍ଦନ ବାସୁଦେବ
ମାତୃଭୂମି ଆଉ ଧର୍ମ ରକ୍ଷା ପାଇଁ ହୋଇଥିଲେ ଆବିର୍ଭାବ ।
ପିତାମାତାଙ୍କର ସୁଯୋଗ୍ୟ ସନ୍ତାନ ଥିଲେ ଶ୍ରବଣକୁମାର
କାନ୍ଧେ ଭାର କରି ସ୍ବ ତାତମାତଙ୍କୁ ନେଉଥିଲେ ଦେଶାନ୍ତର ।
ଧୃବ ଓ ପ୍ରହ୍ଲାଦ ବାପା ଓ ମାଆଙ୍କୁ କରୁଥି
ଲେ ଅତିଭକ୍ତି
ଉଭୟଙ୍କ ପିତା ଓ ମାତା ତାହାଙ୍କୁ ଦେଉଥିଲେ କଷ୍ଟ ଅତି ।
ତଥାପି ତାଙ୍କର ଅଟଳ ଭକ୍ତିର ହେଲା ତ ବହୁ ପରୀକ୍ଷା
ପରିଶେଷେ ପ୍ରଭୁ ହିରଣ୍ଯକୁ ବଧି ଭକ୍ତଙ୍କୁ କରିଲେ ରକ୍ଷା ।
ନଚିକେତା ଶିଶୁ ନିଜର ପିତାଙ୍କୁ କରିଥିଲା ବହୁ ମାନ
ଘଟଣାକ୍ରମରେ ପିତା ଉଦ୍ଦାଳକ ଯମେ କରି ପୁତ୍ର ଦାନ ।
ନଚିକେତା ଯାଇ ଶମନଭବନେ ତାହାଙ୍କୁ କଲା ପ୍ରସନ୍ନ
ଉଦ୍ଦାଳକ ପୁତ୍ରେ ହୋଇଣ ସନ୍ତୋଷ ଦେଇଥିଲେ ବ୍ରହ୍ମଜ୍ଞାନ ।
ବୀର ଅଭିମନ୍ୟୁ ପିତୃଧର୍ମ ପାଳି କରିଥିଲେ ମହାଯୁଦ୍ଧ
ସପ୍ତମହାରଥୀଙ୍କ ଚକ୍ରବ୍ଯୁହରେ ହୋଇଥିଲେ ସେତ ବଧ ।
ପୁରାଣରେ ବହୁ ପିତୃଭକ୍ତି କଥା ହୁଅଇ ଯେ ଦୃଶ୍ୟମାନ
ଭାରତର ଏହି ମହାନସଂସ୍କୃତି ସାରା ବିଶ୍ବେ ଗରୀୟାନ ।
ପିତୃଦେବ ଯଦି ହୋଇବେ ସନ୍ତୋଷ ଦେବତା ହ୍ବନ୍ତି ପ୍ରସନ୍ନ
ତାଙ୍କ ଅସନ୍ତୋଷେ ସକଳ ବିଘ୍ନଯେ ହୋଇଥାଏ ନିଶ୍ଚେ ଜାଣ ।
ଶ୍ରଦ୍ଧା ଓ ଭକ୍ତିରେ ସ୍ବ ପିତୃଦେବଙ୍କୁ କରିଲେ ସଦା ସମ୍ମାନ
ତାଙ୍କ ଶୁଭାଶୀର୍ବାଦୁ ପୁତ୍ରକନ୍ଯାମାନେ ହୁଅନ୍ତି ସର୍ବେ ମହାନ ।
ବୈଦିକ ଯୁଗରେ ଗୁରୁ ଯେ ଶିଷ୍ୟଙ୍କୁ ଦେଉଥିଲେ ନୀତିଶିକ୍ଷା
ଶିକ୍ଷା ସମାପନେ ଶୁଭାଶିଷ ସହ ଦେଉଥିଲେ ଶ୍ରେଷ୍ଠ ଦୀକ୍ଷା ।
'ପିତୃଦେବୋ ଭବ'ବୋଲି ଶିଷ୍ଯମାନଙ୍କୁ ଦେଇ ସଦୁପଦେଶ
ସର୍ବଶାସ୍ତ୍ର ଜ୍ଞାନ ଦେଇ ଗୁରୁକୁଳ ହେଉଥିଲେ ମହାତୋଷ ।
ପିତା ହିଁ ଧରମ,ପିତା ହିଁ ଯେ ସ୍ବର୍ଗ,ପରମ ତପ ପିତୃଦେବ
ପିତା ପ୍ରୀତ ହେଲେ ଦେବତା ପ୍ରସନ୍ନ ହୋଇଥାନ୍ତି ଏହା ଧ୍ରୁବ ।
ଜନ୍ମ ଜନ୍ମାନ୍ତରେ ନୁହଁଇ ସମ୍ଭବ ପିତୃଋଣ ପରିଶୋଧ
ମୃତ୍ୟୁ ପର୍ଯ୍ୟନ୍ତ ସେବା ଓ ଯତ୍ନରେ ହୋଇଥାନ୍ତିଯେ ପ୍ରମୋଦ ।
ମୃତ୍ୟୁ ପରେ ପୁତ୍ର ଶ୍ରଦ୍ଧାରେ ପିତାଙ୍କୁ ଦେଇଥାଏ ପିତୃଶ୍ରାଦ୍ଧ
ତର୍ପଣରେ ପରିତୃପ୍ତ ଯେ ହୁଅନ୍ତି ଶାସ୍ତ୍ରେ ଅଛି ଲିପିବଦ୍ଧ ।
ପ୍ରତ୍ଯହ ଯେ ନର ସ୍ବବୃଦ୍ଧ ପିତାଙ୍କୁ କରଇ ଅଭିବାଦନ
ସେବା-ଶୁଶ୍ରୁଷାରେ ସର୍ବଦା ସନ୍ତୁଷ୍ଟ କରେ ତାଙ୍କ ମନପ୍ରାଣ।
ତାଙ୍କ ଆଶିଷରୁ ପ୍ରାପ୍ତି ହୋଇଥାଏ ଚାରୋଟି ଅମୂଲ୍ୟ ରତ୍ନ
ଆୟୁଷ ଓ ବିଦ୍ଯା ଯଶ ଆଉ ବଳେ ହୁଅଇ ପୁତ୍ର ମହାନ ।
ପିତୃ-ପିତାମହ-ପ୍ରପିତାମହଙ୍କୁ କରୁଛି ଭକ୍ତି ପ୍ରଣାମ
କୃପାଶିଷେ ପରିପୂର୍ଣ୍ଣ କରିଦିଅ ସନ୍ତାନଙ୍କ ମନସ୍କାମ ।