ପିତା ଯେ ଦେବତା
ପିତା ଯେ ଦେବତା
ସନ୍ତାନ ମନର ଗଭୀର ବ୍ୟଥାକୁ
ବୁଝିପାରେ ଏକା ପିତା,
ଯେତେ ଝଡ଼ ଝଞ୍ଜା ସବୁ ସହିଯାଏ
ମନରେ ନଥାଏ ବ୍ୟଥା |
ପିଲାଟି ବେଳରୁ କୋଳେଇ କାଖେଇ
ଦାଣ୍ଡରେ ବୁଲାଉଥାଏ,
କାନ୍ଧରେ ବସାଇ ଗରବେ ଚାଲଇ
ଓଠେ ହସ ଭରିଥାଏ |
ଚଗଲା ହେଲେ ଯେ ଛୋଟ ଛୋଟ ଦଣ୍ଡ
ଦିଅନ୍ତି ସେ ଥରେ ଅଧେ,
ଆକଟ କରନ୍ତି କଥା ନମାନିଲେ
ମିଛ ରାଗ ସତେ କେତେ |
ଜିଦି କରୁଥିଲେ ବୁଝାଇଦିଅନ୍ତି
ମୁଣ୍ଡକୁ ଆଉଁସି ଦେଇ,
ସନ୍ତାନ ମୁହଁରେ ହସଦେଖି ସିଏ
ହସେ କୋଟିନିଧି ପାଇ |
ସନ୍ତାନର ସୁଖ କାମନା କରନ୍ତି
ବିଭୁଙ୍କ ପାଖରେ ସଦା,
ଅସୁସ୍ଥ ସମୟେ ଜଗି ବସିଥାନ୍ତି
ମନେ ଭରି କେତେ ବ୍ୟଥା |
ମୋଗଲ ସମ୍ରାଟ ବାବର ଦିନେ ଯେ
ପୁତ୍ରେ ଆୟୁ ଦେଇଥିଲେ,
ପିତାଙ୍କ ଆଶିଷେ ହୁମାୟୁନ ରୋଗୁ
ଭଲ ହୋଇ ଯାଇଥିଲେ |
ପିତାଙ୍କ ମନରେ ସବୁବେଳେ ଚିନ୍ତା
ସନ୍ତାନର ଭବିଷ୍ୟତ
ମଣିଷ ପରି ସେ ମଣିଷଟେ ହେଉ
ଏହି ତାଙ୍କ ଆଶୀର୍ବାଦ |
ଜୀବନ ଯାତ୍ରାର ପ୍ରତି ପଦକ୍ଷେପେ
ପଛେ ପଛେ ହୋଇ ଛିଡା,
ସାହସ ଦିଅନ୍ତି ଆଗେ ବଢିବାକୁ
ସହଯୋଗୀ ଯାହା ଲୋଡ଼ା |
ଜୀବନ ସାରାର ଶ୍ରେଷ୍ଠ ବନ୍ଧୁ ସିଏ
ଶ୍ରେଷ୍ଠ ତାଙ୍କ ବଳିଦାନ,
ସବୁ ଝଡ଼ ଝଞ୍ଜା ମୁଣ୍ଡେଇ ନିଅନ୍ତି
ଧନ୍ୟ ତାଙ୍କ ଅବଦାନ |
ପିତୃହରା ଯିଏ ଦୁଖୀ ସେ ଜୀବନେ
ସାହାହରା ସଂସାରରେ,
ମାଆ ଏକା ସାହା ନିଭାଇଥାଏ ସେ
ପିତାସ୍ଥାନ ଜୀବନରେ |
ପିତା ଯେ ଦେବତା ମରତ ରାଇଜେ
ନାହିଁ ତାଙ୍କ ସମ କେହି,
ତାଙ୍କ ସେବା ସ୍ୱର୍ଗ ସୁଖ ଦେଇଥାଏ
ଅମୃତ ର ସ୍ୱାଦ ଦେଇ |
#My dad my hero