ପିଲାଙ୍କ ପ୍ରଶ୍ନ
ପିଲାଙ୍କ ପ୍ରଶ୍ନ
ପଚାରଇ ପ୍ରଶ୍ନ ନାତିଆ ନଟିଆ
କହିଲ ଦେଖିବା ଜେଜେ
ଷଣ୍ଢ ଗୁଡା କିଆଁ ବୁଲନ୍ତି ପଦାରେ
ବନ୍ଧା ନ ହୁଅନ୍ତି ପଘେ ।
ମନ ଇଚ୍ଛା ବୁଲି ଖାଆନ୍ତି ଫସଲ
ବେଧଡ଼କ ମାତବର
ବିଚରା ଗାଈଙ୍କୁ ବାନ୍ଧିକି ଖୁଣ୍ଟରେ
ଦୁହାଁଯାଏ ଚରଚର ।
ରାନ୍ଧି ପରଶୁଛି ଜେଜେମା ନିଇତି
ଗେଫି ଚିଲାଉଛ ପାଟି
ଷଣ୍ଢ ଆଉ ତୁମ ଭିତରେ ଫରକ
କଅଣ ବିଶେଷ ଅଛି ।
ଚଷମା ନଥିଲେ ଦିଶୁନି ତୁମକୁ
ଭଲକି ପାଠ ଅକ୍ଷର
ବଙ୍କୁଲି ବାଡିକୁ ଉଞ୍ଚାଇ ହେଉଛ
ତମତମ ଗରଗର ।
ବୁଢା ଜେଜେବାପା ଭାରି କଅଁଳେଇ
କହିଲେ ରେ ନଟବର
ଭାରି ବଦମାସ ହେଲୁଣି ଏବେ ତ
ମୁଣ୍ଡ ମୋ ବାତ ଚକ୍କର ।
ଆଉ ବେଶୀ ପ୍ରଶ୍ନ ପଚାରନା ମୋତେ
ଦଉଡି ବେଗେ ତୁ ଯାଆ
ଜେଜେମା ତୋହର କରିଥିବ ଚାହା
ନେଇ ଆସ କପେ ଚାହା ।
ଜାଣିଲା ନଟିଆ ଜେଜେ ବୁଢା ମନ
ମାରିଲାଣି ପାଣିଚିଆ
ଚାହା କପେ ଆଣି ଦେଲା ସେ ଧରାଇ
କହିଲା ଜେଜେ ପିଉଥା ।
ମୋ ବହି ବସ୍ତାନି ରଖିବୁ ସଜାଡି
ଚୋବାଇବୁ ଖିଲିପାନ
ଖେଳିବୁ ମିଶିକି ଆମେ ସାଙ୍ଗ ସାଥି
ହେଉଛି ମୋତେ ବିଳମ୍ବ ।
