ପିଲାଙ୍କ ପାଇଁ ପଲ୍ଲୀ-କବିତା
ପିଲାଙ୍କ ପାଇଁ ପଲ୍ଲୀ-କବିତା


ଟେଣ୍ଟେଇ ଛୁଆଟି ଗେଲବସର,
ବସାରୁ ହେଇନି କେବେ ବାହାର,
ଦିନେ ପୁଷମାସ ଶୀତ ସକାଳେ
ବସାରୁ ବାହାରି ବସିଲା ଡାଳେ।
ଥୁରୁଥୁରୁଶୀତ ଥରୁଚି ବସି,
ମାଆ ଘୋଡେଇଲା ଡେଣାରେ ଆସି,
କୁହୁଡିକି ଦେଖି କହିଲା "ମାଆ !
ଦେଖ୍ ଆକାଶରେ ଲାଗିଚି ନିଆଁ।"
ମାଆକହେ "ଆରେ ଅନ୍ଧ ଲଉଡି !
ଧୁଆଁ ନୁହେଁ ଇଏ ପରା କୁହୁଡି।
ଆକାଶେ କେମିତି ଲାଗିବ ନିଆଁ,
ମିଛଟାରେ କିଆଁ ହଉ ଛାନିଆଁ ?"
ପୋଖରୀ ପାଣିରେ ଧୁଆଁକୁ ଦେଖି,
ଟେଣ୍ଟେଇ କହୁଚି ମାଆକୁ ଜାକି,
'ଦେଖ୍ ପୋଖରୀରେ ନିଆଁ ନାଗିଚି,
ଚାରିଆଡେ କେତେ ଧୁଆଁ ଉଠୁଚି !!
ମାଆକହେ "ଉଲା ମୋ ଧନମଣି !
ଜଳିଲାଣି କେବେ ପୋଖରୀ ପାଣି ?
ପୋଖରୀର ବାମ୍ଫ ଜାଡକୁ ଛୁଇଁ
,
ଧୁଆଁଳିଆ ପରା ଯାଇଚି ହେଇ।"
କାଉ କାଆ କାଆ ମୁହଁକୁ ଚାହିଁ,
ବଡ ଆଖି କରି ଛୁଆ ଟେଣ୍ଟେଇ,
କହିଲା "ମାଆଲୋ ! ଏ କଳା ପକ୍ଷୀ,
ତଣ୍ଟିରେ କି ନିଆଁ ଯାଇଚି ନାଖି ?
ଧୁଆଁ ବାହାରୁଚି 'କାଆ' କରିଲେ,
ମରିଯିବନିତ ସିଏ ଏଇଲେ ?"
ମାଆ କହେ ଆରେ ବୋକା ରାଧୁଆ,
ନିଆଁ ନୁହଁ ,ସିଏ ପାଟିର ଧୁଆଁ।
ପବନ ପେଟରେ ଉଷୁମୁ ଥାଏ,
ବାହାର ଥଣ୍ଡାରେ ଧୁଆଁଳ ହୁଏ।
ଟେଣ୍ଟେଇ ଛୁଆଟି ଚାହିଁଲା ଦୂରେ,
ଚଷା ନିଆଁ ପୋଏଁ ବିଲଭିତରେ।
ମାଆକୁ କହିଲା "ବସାକୁ ଯାଇ,
ନିଆଁ କରି ଶୀତ ଦବା ଉଡେଇ।"
ମାଆ କହେ " କେଡେ ପଣ୍ଡିତ କିରେ !,
ପୋଡିଯିବ ଆମ ବସା ନିଆଁରେ।
ପିଲା ଦିନୁ କେଡେ ଚାଲାକ ହେଲୁ,
ବାପା ଅଜାଙ୍କର ନାଁ ରଖିଲୁ।"