ଫୁଲ ଓ ଫଗୁଣ
ଫୁଲ ଓ ଫଗୁଣ
ଫୁଟିଲେ ଯିଏ ଚଉଦିଗକୁ
ଚହଟିଯାଏ ବାସ
ମଧୁ ଆଶାରେ ମଧୁପମାନେ
ଆସନ୍ତି ଯା'ର ପାଶ
ନାଆଁଟି ତା'ର ଫୁଲ
ସୁନ୍ଦର ପଣେ ସାରାଜଗତେ
କାହିଁ କେ' ତା'ର ତୁଲ ।।
ପାଖୁଡ଼ା ଦେହେ ସଜାଏ ଯିଏ
ନାଲି ଗୋଲାପୀ ରଙ୍ଗ
ପବନେ ଝୁଲି ବଗିଚା କୋଳେ
ଦେଖାଏ ନାନା ଢଙ୍ଗ
ଅମୂଲ ତା'ର ମୂଲ
ଗୁଣରେ ତା'ର ନାହିଁରେ ଖୁଣ
ଫୁଲ ଅଟେ ସେ ଫୁଲ ।।
ଧରାକୁ ଯିଏ ଆସିଲେ ପଶି
ପଳେଇଯାଏ ଶୀତ
ମଧୁର ସୁରେ କୋଇଲି ନାନୀ
ଗାଏ ତାହାର ଗୀତ
ଫଗୁଣ ପରା ସିଏ
ଜୀବନେ ତା'ର ମିଠା ପରଶ
ପାଇନି ପୁଣି କିଏ ।।
ମଳୟ ଯିଏ ପରଶି ଦିଏ
ସବୁରି ମନ ଜାଣି
ତରୁଶାଖାକୁ ନୂଆ ପତର
ଯେ' ପୁଣି ଦିଏ ଆଣି
ନୁହେଁ ସେ ଆଉ କିଏ
ତା' ପାଇଁ ହସେ ଫୁଲ ବଗିଚା
ଫଗୁଣ ଅଟେ ସିଏ ।।
ଫୁଲ ଫଗୁଣ ଏକାଠି ହେଲେ
ବଢଇ ଧରା ଶୋଭା
ଯେଣିକି ଚାହଁ ଆହା ସେ କେଡ଼େ
ଦିଶଇ ମନଲୋଭା ।।
