ଫୋନି
ଫୋନି
ତମେ ଯେବେ ଆସିଗଲ
ବାତ୍ୟା ଫୋନି ନାମେ-
ଏ ଧରାକୁ ମାଡ଼ି ।
କମ୍ପନ ଖେଳିଗଲା
କରାଳ ଭୟରେ
ଚତୁପାର୍ଶ୍ୱକୁ ସତରେ ।
ବିଖଣ୍ଡିତ କଳାରଙ୍ଗ ,
ଭାସି ଭାସି ଯାଉଥିଲା
ଦୋହଲାଇ ସଭିଙ୍କ ମନରେ ।।୧।।
କେମିତି କେଜାଣି,
କୋଉ ଏକ, ଅକାଳ ମୁହୂର୍ତ୍ତରେ
ଉଠେଇ ନେଲା-
ପ୍ରକୃତିର କେତେ ସାଜସଜା
ବୃକ୍ଷଲତା ଘରଦ୍ଵାରକୁ
ଆଖି ପିଛୁଳାରେ ।
ଘୁର୍ଣ୍ଣିଝଡ଼ ,ବର୍ଷା ପୁଣି
ପବନର ଉଦଣ୍ଡ ନୃତ୍ୟରେ
ଭାଙ୍ଗିଦେଇଗଲା କେତେ କେତେ
ହାତ ଗଡ଼ା ସ୍ମୃତି ଆଉ
ସୁନାର ସଂସାର ।।୨।।
ଓଦା କରି ଦେଲା
କେଉଁ ଏକ ଅଜବ ମୁହୂର୍ତ୍ତରେ,
ଗାଁ, ସାହି, ସହର ଗଳିର
ଚଟାଣ ଚେହେରାକୁ ।
ଟୁପଟାପ ଅଦିନିଆ ବର୍ଷାର ନିଆଁରେ
ତତଲା ଭୁଇଁକୁ।
ଭୟଙ୍କର ରୁପ ନେଇ
ଅତ୍ୟାଚାର କରିଚାଲେ
କେତେ କାଳ ଫୋନି
ଜିଲ୍ଲା ପରେ ଜିଲ୍ଲାକୁ ।।୩।।
ଜୀବନ ସବୁ ଅସ୍ତବ୍ୟସ୍ତ
ଏବେ ବି ଦିଗହରା -
ଜୀଇଁବା ରାସ୍ତାରେ ।
ଭୋକିଲା ପେଟର
କୋହ ଯେ କହୁଛି
ଶୋଇଯାଆ ଏବେଠୁ ତୁ
ଯନ୍ତ୍ରଣାର ନିଦ ପିଠିରେ ।।୪।।
ଦରଦାମ ବଢେ ଏଠି,
ଆକାଶ ଛୁଆଁ ଭଳି ନୀତି
ସକାଳର ଜଞ୍ଜାଳ ବୋଝରେ ।
କିନ୍ତୁ,
ନେତା ମନ୍ତ୍ରୀଙ୍କର
କେତେ ପ୍ରତିଶ୍ରୁତି-
ଯୋଜନା-ବିକାଶ,
ଆଶ୍ୱାସନା ପୁଣି ପ୍ରତାରଣା
ସତେ ଲମ୍ବା ପ୍ରତିକ୍ଷାରେ ।।୫।।
ଜୀବନ ଏଠି,
ମୃତ୍ୟୁ ସହ ସଂଘର୍ଷ କରେ
ବିଜୁଳି ଅବା ପିଇବାପାଣିର
ଘୋର ଅଭାବରେ ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ
କୁମ୍ଭୀର କାନ୍ଦଣା ଖାଲି
ରିଲିଫର ଲମ୍ବା ତାଲିକାରେ ।।୬।।
ଛଟପଟ ହୁଏ,
କ୍ଷତିଗ୍ରସ୍ତର ଜୀବନଗୁଡିକ
ତାତି -ତତଲା ତାତିରେ ।
କେବେ ସୁଧୁରିବ, ଦୁଖର ଦୁର୍ଦଶା
ଭାସିଭାସି ଆଖି ଲୁହରେ ।।୭।।
ମିଡ଼ିଆ ବାଲାଟା
ଦେଖୁଛି, କହୁଛି-
ନୀତି ସକାଳଠୁ ସଂଜ ରାତିରେ ।
ସଇତାନ ଆଜି,
ସରକାରରୀ ବାବୁ- ଜାଣିଶୁଣି ସବୁ
ଶୋଇଛି ବିଦେଶୀ ନିଶାରେ ।।୮।।
ମହା ବାତ୍ୟା ପରେ ,
କେତେ ବାତ୍ୟା ଗଲା ଖାଇ,
ଗଲା ପୁଣି ଏବେ ଫୋନି.....
ତଥାପି କହୁଛି-
କଲେକ୍ଟର ବାବୁ
ଆଂଶିକ ହୋଇଛି କ୍ଷତିରେ।
ଲୋକେ ରାଗିଗଲେ
ଚାରିଆଡେ ପୁଣି
ଅବରୋଧ କରି ରାଜ ରାସ୍ତାରେ ।।୯।।
ତେଲ ଲୁଣ ଘର,
ସୁଖର ସଂସାର
ହଜିଗଲା କୋଉ ସନ୍ଧିରେ ।
ସଜଡ଼ା ସଂସାର
ଉଜୁଡି ଗଲା ଯେ ।
କିଛି ରଖିଲାନି ମୋର
ସବୁ ଚାଲିଗଲା -
ଏଇ ଫୋନିର ବାତ୍ୟାରେ ।।୧୦।।