ଫଇସଲା
ଫଇସଲା
ତର୍କ ବିତର୍କରେ ମିଳେ କି ସମାଧାନ ?
ବିଚାର ପଞ୍ଚାୟତରେ ହୁଏ କି ଫଇସଲା ?
ହେଉଥିବ
ମୋତେ ଜଣା ନାହିଁ
ନୋହିଲେ କାହିଁ ଆୟୋଜନ ଘନ ଘନ ?
ନଅ ତିଅଣ ତେର ଭଜା
ସହିତ ଷାଠିଏ ପଉଟି
ଭୋରି ଭୋଜନ
ପାନ ବିଡି ସିଗାରେଟ୍
ସହିତ ମୃଦୁ ପାନିୟର
ଥଣ୍ଡା ଗରମର
ଘଣ୍ଟାକୁ ଘଣ୍ଟା ଚର୍ବିତ ଚର୍ବଣ ।
କଥା ପଡ଼ୁ ପଡ଼ୁ
ତର୍କ ଝାଡୁ ଝାଡ଼ୁ
ବକ୍ରୋକ୍ତି ମସଲା ଢ଼ାଳେ
କର୍କଶ ଉଚ୍ଚାରଣ ରଙ୍ଗ ରୋଷଣୀ ଜାଳେ
ଆଗନ୍ତୁକ କେଇଜଣ ଛିଣ୍ଡାଭଦ୍ର
ବକର୍ ବକର୍ କଷୁଥାନ୍ତି
ପକ୍ଷ ନେଇ ଯୁକ୍ତି ବାଢୁ ବାଢୁ
ରାମାୟଣର ନୀତିଶିକ୍ଷା
ମହାଭାରତର ଉପଦେଶ
ରାଜନୀତି ସନ୍ଦେଶ
କହୁ କହୁ ଗଳି ବାଟ ଫିଟାଇ
ଆପୋଷ ବୁଝାମଣାର
ମଧ୍ୟମ ମାର୍ଗ ଦେଖେଇ
କାମ ଚଳା ଝିମିଟି ଖେଳକୁ ଥଣ୍ଡା କରନ୍ତି
ଆଶୁ ସମାଧାନ ।
ମନକୁ ସ୍ଵତଃ ଆସେ
ଯଦି ୠଗଣ ମାନସିକତାକୁ ଛାଡ଼ି
ଟିକିଏ ସହି ଯିବାର ବଦାନ୍ୟତା
ଯଦି ଗାଁ ଟାଉଟର ପେଞ୍ଚକୁ ଫେଡ଼ି
ଟିକିଏ ଭାଇଚାରାର ଅନାବିଳତା
ଯଦି ଛନ୍ଦ କପଟ ଅର୍ଥ କାରସାଦିକୁ ମୋଡ଼ି
ଟିକିଏ ତ୍ୟାଗ ତର୍ପଣର ମହନିୟତା
ଆଚରଣ -ଉଚ୍ଚାରଣେ
କଥନ- କରଣେ
ସମ୍ବନ୍ଧ-ସମ୍ମାନେ
ସାହାର୍ଯ୍ୟ- ସଂପ୍ରଦାନେ
ଅଯଥା କଳି ତକରାଳ
ଅର୍ଥ ଅନର୍ଥର ମିଛ ଖେଳ
କୋର୍ଟ କଚେରୀ ପୋଲିସ୍ ସାଙ୍ଗକୁ
ଧୋବ ଧାଉଳିଆ ଛଦ୍ମ ମୂଖା ଭଦ୍ର ଫାସରୁ
ବଂଚି ଯାଆନ୍ତ
ଏ ଯାବତ ସମାଜ ।
ଉଠ ଦୁର୍ବଳ
ଜାଗ ନିର୍ବଳ
ଭାବ ସକଳ
ଚିନ୍ତ ସଅଳ
ମାହେନ୍ଦ୍ର ବେଳା ଲୁଚିଲୁଚି ଆସିବନି
ଶୁଭ ସମୟ ଇଂଗିତ ଦେବନି
କେବଳ
ମହା ମାନବର ନ୍ୟାୟରେ
ମାନସିକତା ବଦଳେଇବାର ଅଛି
ବୌଦ୍ଧିକ ସମ୍ପତି ବଢେଇବାର ଅଛି
ସମାଧାନ ହାତ ମୁଠାରେ
ଫଇସଲା ନିଜ ପାଖରେ ।
