STORYMIRROR

Dr Prateek kumar Pahi

Classics

4  

Dr Prateek kumar Pahi

Classics

ପହିଲି ରଜ

ପହିଲି ରଜ

1 min
287

ନଦୀ ତୁଠେ ଗଲି ହଳଦୀ ମାଖିଲି 

ପାଣିରେ ଦେଖିଲି ମୁହଁ,

ହଲିଲା ପାଣିରେ ମୁହଁ ନ ଦିଶିଲା 

କି କରିବି ସଖୀ କହ....


ଗେହ୍ଲେଇ ଭାଉଜ କରିଦେଲେ ସଜ 

ଦୋଳି ଖେଳିବାକୁ ଗଲି,

ଦେଖା ହେଲେ ବାଟେ ଭାଉଜଙ୍କ ଭାଇ 

ଲାଜେ ଲାଜେ ମୁଁ ତ ମଲି....


ପାଟିରେ ବିଡିଆ ଦିଶୁଛି ନାଲିଆ 

ଓଠେ ମୁଚୁକୁନ୍ଦ ହସ,

କୁଆଁରୀ ମନଟା ଗଲାଣି ଦୋହଲି 

ଦେଖି ସେ ଜୁଆନ ନିଶ....


ଦୂରଦେଶ ବନ୍ଧୁ ଖୋଜୁଛନ୍ତି ବାପା 

ମାଆ ଖୋଜେ ଘରଜ୍ୱାଇଁ,

ଭାଇର ଶଳାଠି ମନ ମୋ ଫସିଲା 

କାହାକୁ ନପାରେ ଚାହିଁ ....


ବାରିରେ ପାଚିଲା ଆମ୍ବ ପଣସ ଲୋ 

ଗୋଟା ଗୋଟା ଜାମୁକୋଳି,

ତୋ ଭାଇ ମୁହଁଟା ଆମ୍ବିଳା ତୋରାଣି 

ଭାଇ ମୋ କାଇଁଚ ମାଳି....


ଜେଜି ପୋଡ଼ପିଠା ଭାରି ସୁଆଦିଆ 

ପଲମେ ମହକୁ ଥାଏ,

ମୋ ଭାଇ ପଛରେ ସୁନ୍ଦରୀ ତରୁଣୀ 

ଭାଇ ତୋ ଭୋକୁଆ ହାଏ....


ମିଠା ଖିଲିପାନ ରଜକୁ ନିଆରା 

ସେଥିରେ ଖଇର ଗିଲା,

ମୋ ଭାଇ କମାଏ ହଜାର ହଜାର 

ତୋ ଭାଇ ପକେଟ ମେଲା....


ବାଗୁଡ଼ି ବାଗୁଡ଼ି କହିଲେଣି ପିଲେ 

ଗାଆଁ ଦାଣ୍ଡ ଉଠେ ପଡେ,

ତୋ ଭାଇ ଠିକଣା ସଭିଙ୍କୁ ଅଜଣା 

ମୋ ଭାଇର ବାନା ଉଡ଼େ ....


ପାଦରେ ଆଙ୍କିଲି ସରୁ ଅଳତା ଲୋ 

ଆଖିରେ କଜଳ ଗାର,

ବିଦେଶ ଫେରନ୍ତା ନଣନ୍ଦ ଖୋଜୁଛି 

ସରଳିଆ ଦେଶୀ ବର....


ଗୋଲାପ ଜଳରେ ଧୋଇଲି ମୁହଁକୁ 

ପିନ୍ଧିଲି କୁଙ୍କୁମ ନାଲି,

ନଣନ୍ଦ ରାଣୀର ମନରେ ସନ୍ଦେହ 

ପୁରୁଷ ଭଅଁର ବୋଲି....


ଗଭାରେ ଖୋସିଲି ସଜମଲ୍ଲୀ ହାର 

ପତଳା କୋଲପ ଦେଇ,

ପୁରୁଷ ଜାତିଟା ଭାରି ଦଗାଦିଆ 

ଫୁଲୁ ଫୁଲ ଉଡୁଥାଇ....


ଅତରରେ କିଆ ବାସୁଛି ବଢିଆ 

ରଜସଜ ହେଲା ଶେଷ,

ଦେଶୀ ଟୋକା ଜମା ଦେବ ନାହିଁ ଧୋକା 

ନଣନ୍ଦ ଓଠରେ ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics