STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଫଗୁର ନିଜସ୍ଵ କାହାଣୀ

ଫଗୁର ନିଜସ୍ଵ କାହାଣୀ

2 mins
19


ନିରୀହ ଫଗୁର ନିଜସ୍ଵ କାହାଣୀ

ନିରୀହ ଫଗୁ ମୁଖରେ

ଯାହା ଜାଣି ଅଛି ଜଣାଉଛି ଆଜି

ଏହି ଗଣ ମାଧ୍ୟମରେ

ଫଗୁ ନିରୀହ ଓ ସତରେ ରସିକ

ପ୍ରେମ ଭାବ ସୂତ୍ରଧର

କେତେ ଅପୂର୍ବ ସୁନ୍ଦରୀ ଅଙ୍ଗେ ଲାଗି

ଜାଣିଛି ସବୁ ହୁନ୍ଦର

ଗୋପ ପୁରେ କଳା କାହ୍ନୁ ଫଗୁ ଧରି

ରାଧା ଅଙ୍ଗରେ ଲଗେଇ

ରଙ୍ଗ ଅଧରରେ ସ୍ମିତ ହସି ଦେଇ

ରାଧା ମନ ଥିଲା ମୋହି

କୃଷ୍ଣ ଅବତାରେ ପରମ ପ୍ରେମିକ 

ଗୋପୀ-ମାନଙ୍କ ସହିତ

ରାସ ରସେ ରତ ଥାଇ ଦୋଳି କୁଞ୍ଜେ

ଫଗୁ ରଙ୍ଗେ ରଙ୍ଗାୟିତ

ରାଧା ରାଣୀ ସହ ଆମୋଦ ପ୍ରମୋଦ

ଥିଲା ହୃଦୟରେ ଭାବ

ପବିତ୍ର ପ୍ରେମର ସ୍ମୃତି ଗାନ ସହ

ପାଳନ ହେଉଛି ପର୍ବ

ସବୁଠି ଆନନ୍ଦ ଉତ୍ସବ ପାଳନ

ହୋଲି ପର୍ବ ଧାରେ ଧାରେ

ସିଂହାସନ ଛାଡ଼ି ଠାକୁରଙ୍କ ଯାତ୍ରା

ପ୍ରିୟ ଭକ୍ତଙ୍କ ମେଳରେ

ଯାତ୍ରା ସମୟରେ ନୈବେଦ୍ୟ ଅର୍ପଣ

ହୁଏ ପ୍ରତ୍ୟେକ ଦୁଆରେ

ଭଜନ କୀର୍ତ୍ତନ ସହ ଫଗୁ ରଙ୍ଗ

ଖେଳ ବିଧି ବିଧାନ ରେ

ବିମାନ ଦୋଳିରେ ଚଳନ୍ତି ବିଗ୍ରହ

ଶ୍ରୀ ଦୋଳ ଗୋବିନ୍ଦ ବିଜେ

ଭକ୍ତି ମୟ ପରିବେଶ ସୃଷ୍ଟି ଆପେ

ପ୍ରତ୍ୟୟମାନ ସହଜେ

ବିଷ୍ଣୁ ଆଉ ରାଧା କୃଷ୍ଣ ମନ୍ଦିରରେ

ଦୋଳ ଉତ୍ସବ ପାଳନ

ଆମ ସଂସ୍କୃତି ଓ ପରମ୍ପରା ବିଧି

ହେଉଅଛି ଆୟୋଜନ


ଶ୍ରୀମନ୍ଦିରରେ ଦୋଳ ଯାତ୍ରା ଉତ୍ସବ

ଫଗୁ ରଙ୍ଗ ସହିତରେ

ହର୍ଷ ଉଲ୍ଲାସରେ ଭକ୍ତ ପ୍ରାଣ ନାଚେ

ପ୍ରଭୁଙ୍କ ଗୁଣ ଗାନ ରେ

ଶ୍ରୀଜୀଉମାନେ ଦୋଳ ବେଦୀକୁ ଯାତ୍ରା

ହେଉ ନାହିଁ ପୂର୍ବ ପରି

ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ

ଯାତ୍ରା ହୁଏ ସର୍ବୋପରି

ଦୋଳ ଯାତ୍ରା ହିଁ ଚାଚେରୀ ନାମରେ

ଶ୍ରୀମନ୍ଦିରରେ ଖ୍ୟାତ

ଫାଲଗୁନ ଶୁକ୍ଲ ଦଶମୀ ତିଥି ରୁ

ଚତୁର୍ଦ୍ଦଶୀ ର ପର୍ଯ୍ୟନ୍ତ


ପର୍ବର ସମ୍ଭାର ବସନ୍ତ ଋତୁରେ

ଆନନ୍ଦ ଉଠେ ଉଛୁଳି

ସାତ ରଙ୍ଗ ନେଇ ଆସି ଅଛି ହୋଲି

ରଙ୍ଗ ହୁଏ ବୋଳା ବୋଳି

ଫୁଲ ସବାରୀରେ ଫୁଲେଇ ବସନ୍ତ

ଫୁଲ ରଙ୍ଗରେ ଉଛୁଳି

ନିଜେ ରଙ୍ଗ ବୋଳି ଇଶାରା କରଇ

ହୁଅ ରଙ୍ଗ ବୋଳା ବୋଳି

ସଂସ୍କୃତି, ପରମ୍ପରା ଓ ଧାର୍ମିକ ଧାରା

ପର୍ବ ଭାବେ ହୋଲି ମାନ୍ୟ

ଅନ୍ୟ ପର୍ବ ଠାରୁ ହୋଲି ପର୍ବ ଭିନ୍ନ

ରଙ୍ଗର ବାତାବରଣ

ହୋଲି ନାମ ଶୁଣୁ ଶୁଣୁ ଖୁସି ଆପେ

ସେହି ନିଷ୍ପାପ ହୃଦରେ

ନିଜେ ରଙ୍ଗ ବୋଳି ହୋଇ ବୋଳି ଦେବ

ନିଜ ଆତ୍ମୀୟ ଅଙ୍ଗରେ

ହୋଲି ଦେଖି ବେଶି ଖୁସି ଓ ଆନନ୍ଦ

ଚପଳ ମତି ମନରେ

ଯୌବନରେ ପାଦ ଥାପି ଥିବା ସେହି

ମତୁଆଲାଙ୍କ ହୃଦରେ

ସାଂସାରିକ ଜଞ୍ଜାଳରେ ଜର୍ଜରିତ

ପ୍ରାୟ ଗୃହସ୍ଥ ଜୀବନ

ତଥାପି ପିଲାଙ୍କ ଖୁସିରେ ସାମିଲ

ହେବା ଭବ୍ୟ ପ୍ରୟୋଜନ


ଫୁଲେଇ ଫଗୁଣ ରୋମାଞ୍ଚ ସ୍ପର୍ଶରେ

ମତୁଆଲା ପରିବେଶ

ସେହି ପରିବେଶ ଆହୁରି ରଙ୍ଗୀନ

ଯେବେ ହୋଲିର ପ୍ରବେଶ

ହୋଲି ପର୍ବ ଖୁସି ଘର ଠୁ ମନ୍ଦିର

ଫଗୁ ସଭିଙ୍କର ପ୍ରିୟ

ଫଗୁ ରଙ୍ଗରେ ରଙ୍ଗାୟିତ ସକଳେ

ହୃଦ ସ୍ପନ୍ଦନ ଅଥୟ

ଫଗୁ ରଙ୍ଗ ଠାରୁ ଅଧିକ ରଙ୍ଗୀନ

ଗରିବ ଲୋକର ପ୍ରାଣ

ପେଟ ପୁରା ଦୁଇ ବେଳା ଦୁଇ ମୁଠା

ଯଦି ମିଳଇ ଭୋଜନ

ଫଗୁ ପରି ରଙ୍ଗ ଲାଗି ରହିଥିବ

ସମାଜର ପ୍ରତି କ୍ଷେତ୍ର

ଝିଅ ବୋହୁ ଯଦି ନିରାପଦ ମଣେ

ଘର ବାହାର ଅନ୍ୟତ୍ର

ସମାଜରେ ହିଂସା ଈର୍ଷା ନ ରହିଲେ

ଭାବ ହେବ ରଙ୍ଗ ମୟ

ପରଷ୍ପର ପ୍ରତି ଶାନ୍ତି ସଦ୍-ଭାବ

ଫଗୁ ପରି ରଙ୍ଗ-ମୟ 

ମନରେ ଆନନ୍ଦ ସୁଖ ଶାନ୍ତି ଥିଲେ

ପ୍ରାୟ ରଙ୍ଗ ସବୁଦିନ

ମନର ଦୁଃଖରେ ସାତ ରଙ୍ଗ ହୋଲି

ଶାନ୍ତି ବିନା ରଙ୍ଗ ହୀନ

ପରଷ୍ପର ପ୍ରତି ରଙ୍ଗ ବୋଳା ଇଚ୍ଛା

ଯେପରି ମନେ ଉଦ୍ରେକ

ସମ୍ପର୍କର ରଙ୍ଗ ରଙ୍ଗୀନ ରହିଲେ

ଜୀବନ ହେବ ସାର୍ଥକ

ବିଚରା ନିରୀହ ଫଗୁର ଆଦର 

ମାତ୍ର ସେହି ହୋଲି ଦିନ

ହୋଲି ସରିଗଲେ ଫଗୁ ବି ଅଲୋଡ଼ା

କିନ୍ତୁ ସ୍ମୃତି ଚିରଦିନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract