ଫଗୁଣେ ଫଗୁଣ
ଫଗୁଣେ ଫଗୁଣ
ଫଗୁଣେ ଫଗୁଣ ବାସ ଚହଟାଇ ଚଉପାଶ
ବସନ୍ତର ଆଗମନୀ ବାରତା କହେ
ଶୋଭା ପ୍ରକୃତିରାଣୀର ଆହା ! କେଡ଼େ ମନୋହର
ନବଯଉବନା ରୂପ ଉଭା ନେତ୍ରରେ
ମଧୁମାସେ ପ୍ରୀତିରେ ମତି
ନର ପଶୁପକ୍ଷୀ କୀଟ ତରୁଲତାଦି ।
ଫୁଲେଇ ଫଗୁଣ ରଙ୍ଗ ଲାଗି ଫୁଲୁ ଫୁଲ ଅଙ୍ଗ
ତନୁରେ ଅପୂର୍ବ କାନ୍ତି ପ୍ରକାଶ କରେ
ଆମ୍ରକୁଞ୍ଜେ ପରଭୃତ ମନକୁ କରି ଉଷତ
ପୁରୁଷ ପକ୍ଷୀକୁ ଡାକେ କୁହୁ ତାନରେ
ପ୍ରତି ହୃଦେ ପ୍ରୀତି ଝଂକାର
ପ୍ରେମ-ସୁଧା ପାଇଁ ଆବେଗରେ ଅଧୀର ।
ପଲ୍ଲବେ ପଲ୍ଲବ ପାଟ ସମ ପିନ୍ଧାନ୍ତି ମୁକୁଟ
ତରୁ ଦେହେ ଶ୍ୟାମଳିମା ଉଠେ ଝଟକି
ରକ୍ତାଭ ଆଭାରେ ଲେସି ଶିମିଳି ପଳାସ ହସି
ଦୂରରୁ ଦୃଶ୍ୟ ନିଆଁର ଭ୍ରମ ସତେ କି
ଧରା ସୁରଭିତ ସନ୍ଧ୍ୟାରେ
ଅଶୋକ ମାଧବୀ ନିମ୍ବ ବକୁଳ ଫୁଲେ ।
ଜାଳନ୍ତି ବସି ଜାଗର ରାତ୍ରେ ରହି ଉଜାଗର
ପଲ୍ଲୀର ଲଳନା ଶିବ-ଶଙ୍କର ପାଶେ
ପଞ୍ଚୁଦୋଳରେ ଗୋବିନ୍ଦ ରାଈକିଶୋରୀ ସହିତ
ଦୋଳବିମାନେ ବୁଲଇ ଅତି ହରଷେ
ଗାଁକୁ ଗାଁ ସମାରୋହେ
ଫଗୁ ଦଶମୀରୁ ଦୋଳପୂର୍ଣ୍ଣିମା ଯାଏ ।
ପୂର୍ଣ୍ଣିମା ଦିନୁ ମେଲଣ ଆରମ୍ଭନ୍ତି ଭକ୍ତଜନ
ଦୋଳବିମାନେ ବସାଇ ଯୁଗଳମୂର୍ତ୍ତି
ଗୀତ ବାଦ୍ୟ ନାଦ ତାଳେ ନାଚିନାଚି ବାଡ଼ି ଖେଳେ
ମାତନ୍ତି ଗୋପାଳ ପୁଏ ଭକତି ମତି
ଝୁଲୁଥାନ୍ତି ରାଧାଗୋବିନ୍ଦ
ଫଗୁ ଫୁଆରା ଛୁଟାଇ ମନ ଆନନ୍ଦ ।
ରଙ୍ଗର ପସରା ମେଲି ଘରେ ଘରେ ପଶେ ହୋଲି
ଫଗୁଣାନ୍ତେ ଚଇତ୍ରର ପ୍ରଥମ ଦିନେ
ଫଗୁ ରଙ୍ଗ ବୋଳାବୋଳି ପରସ୍ପର କୋଳାକୋଳି
ହସିଉଠେ ପୁରପଲ୍ଲୀ ଭାବ ମିଳନେ
ଗାଇ ଆମ ସଂସ୍କୃତି ଗୀତି
ବିଭୋରିତ ସର୍ବ ପ୍ରାଣ ହୁଅଇ କ୍ଷିତି ।