ଫଗୁଣ ର ଫଗୁ ଖେଳ
ଫଗୁଣ ର ଫଗୁ ଖେଳ
ଏ ଫଗୁଣ ମାସ ଉଜ୍ବଳ ପ୍ରକାଶ
ସବୁଠି ମଧୁର ଝର
ମଧୁମୟୀ ଚାରୁ ପ୍ଲାବନ ଥିବାରୁ
ସଞ୍ଚରେ ସୁରଭି ଭାର ॥
କେଡେ ଆମୋଦରେ ସବୁରି ହୃଦରେ
ମଧୁମୟୀ ମାଦକତା
ବିଞ୍ଚି ଦେଇ ଅଛି ଋଚିର ପ୍ରକୁତି
ସୁଷମା ମୟୀ ବିଭୂଷା ॥
ହେନା ମଧୁ ଗନ୍ଧ ଗନ୍ଧସାର ଗନ୍ଧ
ସାଥେ ନାନା କୁସୁମର
ବହି ଆଣୁଅଛି ସୁବାସ ପ୍ରକୁତି
ମଳୟ ପବନ ଧୀର ॥
ସୁଲୁସୁଲୁ ରବେ ଆହା କି ଗରବେ
ଗରଜି ବୁଲୁଚି ସଦା
ପ୍ରକୁତି ହୋଇଛି ସଭିଙ୍କ ପାଇଁକି
ଆହା କି ଆମୋଦ ପ୍ରଦା ॥
ଫଗୁଖେଳ ଏବେ ପାଖେଇ ଏପାଖେ
ଆସିଲାଣି ଏଇ ଦେଖ
ଦଶ ଦିଶ ସାଜେ ସୁଚାରୁ ଚମକେ
ଧରି ଅନୁପମ ବେଶ ॥
ଆଉ କିଛି ଦିନ ହେଲେ ଅବସାନ
ଫଗୁଣ ର ଫଗୁ ଖେଳେ
ଫଗୁ ଧରି ହାତେ ସଭିଏଁ ଉନ୍ନାଦେ
ମାତିବେ ଅବିର ଖେଳେ ॥
ରଂଗ ଧରି ରାଗେ ଆହା କି ସରାଗେ
ବୋଳିବେ ଅପର ଅଙ୍ଗେ
ଦୋଳ ଯାତରା ଏ ମନ ଉଲ୍ଲସାଏ
ଆହା କି ଆମୋଦ ଲାଗେ ॥
ଫଗୁ ଓ ପିଚିକା ଚିପି ଚିପି ଚିକା
ଲଗାଇ ଖେଳିବା ପାଇଁ
ଆରେ ବାଇ ମନ ହେଉଛୁ ଉଛନ୍ନ
ରହିଥା ନଶୋଇ ଚାହିଁ ॥
ଦୋଳ ଯାତରା ରେ କେତେ ମଉଜରେ
ମାତିବୁ ଆଗକୁ ରହ
କୁସୁମ ସୁରଭି ବହି ମନ୍ଦେ ଭାସି
ଆସୁଅଛି ଗନ୍ଧବହ ॥
ଫଗୁଣ ର ଚାରୁ ପରଶେ ଶରୀରୁ
ନବ‐ପୁଲକ ସଞ୍ଚରେ
କି ଆମୋଦ ଦାୟୀ ଜନମନ ମୋହି
ନିଏ ଏ କ୍ଷଣ ପ୍ରଭା ରେ ।।

