ଫେରିଆସ ଥରେ ବିପ୍ଳବୀ
ଫେରିଆସ ଥରେ ବିପ୍ଳବୀ
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ସ୍ୱପ୍ନର ଭାରତ ବର୍ଷ,
ସାମ୍ୟବାଦ ନୀତି ମରଣ ଯନ୍ତାରେ
ସାମ୍ରାଜ୍ୟ ବାଦର ଚାଷ ।
ତେଏସ୍ତରୀ ବର୍ଷ ସ୍ୱାଧୀନତା ପରେ
ପରାଧୀନ ଆମ ଦେଶ,
ଭାଷଣ ବାଜିରେ ଦେଶର ଶାସନ
ରାଜନୀତି କରେ ନାଶ ।
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ଚାଷୀ ଶ୍ରମିକଙ୍କ ଦୁଃଖ,
ମାଗଣା ଯୋଜନା ଫଳ ଖାଉଛନ୍ତି
ମେଣ୍ଟୁନି ପେଟର ଭୋକ।
ଚାଷୀର ଫସଲ ଉଜୁଡି ଯାଉଛି
ଶ୍ରମିକ ପାଉନି ମୂଲ,
ଚାଷୀ ଆତ୍ମହତ୍ୟା କୀଟନାଶ ପିଇ
ଫସଲ ହେଉନି ଭଲ ।
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ଶିକ୍ଷା ସ୍ୱାସ୍ଥ୍ୟ ସେବା ନୀତି,
ସ୍ୱାସ୍ଥ୍ୟ ସେବା ମିଳେ ସମ୍ପୂର୍ଣ୍ଣ ମାଗଣା
କମୁନି ରୋଗର ଭୀତି ।
ଶିକ୍ଷା ନିୟମରେ ସଂସ୍କାର ଜୁଆର
ଧନ୍ୟ ସରକାରୀ କଳ,
ସରକାରୀ ସଂସ୍ଥା ଶିକ୍ଷା ମୂଲ୍ୟହୀନ
ବେସର୍କାରୀ କରେ ଖୋଳ ।
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ବାସହରା ହୃଦେ କୋହ,
ଆବାସ ଯୋଜନା ବାସହୀନ ପାଇଁ
>
ମିଳୁନାହିଁ ପକ୍କା ଗୃହ ।
ଦରିଦ୍ର ଗଣତି ଖାତା କଲମରେ
ସୀମିତ ଦରିଦ୍ର ଜନ,
ବାସ୍ତବ ଦୃଶ୍ୟଟି ସମାଜ ପଟରେ
ଦର୍ଶାଉଛି ଭିନ୍ନ ମାନ ।
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ନାରୀ ନିର୍ଯାତନା ଦୃଶ୍ୟ
ନାରୀ ସୁରକ୍ଷାର ଡେଙ୍ଗୁରା ବାଜୁଛି
ନାରୀ ନୁହେଁ ସୁରକ୍ଷିତ ।
ଧର୍ଷଣ ଶୋଷଣ ନାରୀଙ୍କ କଷଣ
ଦୃତ ବେଗେ ହୁଏ ବୃଦ୍ଧି
ରାଜନୀତି ନିଆଁ ଚର୍ଚ୍ଚାରେ ସୀମିତ
କମିଯାଏ ପୁଣି ତାତି ।
ହେ ବିପ୍ଲବୀ.....
ଫେରି ଆସ ଥରେ ଦେଖିଯାଅ ବାରେ
ନିଶା ବେପାରୀଙ୍କ ନାରା
ନିଶା କାରବାର କରେ ନାରଖାର
ପଡନ୍ତିନି କେବେ ଧରା ।
ମଦ୍ୟପ ନିଶାଡୀ ଧରା ହେଉଛନ୍ତି
ବେପାରୀଙ୍କୁ ପୁରସ୍କାର
ନିଶା ବେପାରରେ ରାଜସ୍ୱ ଅଧିକ
ପାଉଛନ୍ତି ସରକାର ।
ହେ ବିପ୍ଲବୀ.....
ଫେରି ଆସ ଥରେ କହିଯାଅ ବାରେ
ତୁମ ବୈପ୍ଳବିକ ନୀତି
ସାମ୍ୟବାଦ ପାଇଁ ତ୍ୟାଗର କାହାଣୀ
ଶୁଣି ଜନେ ଯିବେ ଶିଖି ।
ଘୃଣ୍ୟ ରାଜନୀତି ଶାସନ ବ୍ୟବସ୍ଥା
ଦେଶରୁ ହୋଇବ ଦୂର
ନେତାଜୀଙ୍କ ନୀତି ଆଦର୍ଶରେ ଚାଲି
ମଙ୍ଗଳ ହେବ ଦେଶର ।