ପଡ଼ିଶା ଘରର ରାନୁ ମହାନ୍ତି
ପଡ଼ିଶା ଘରର ରାନୁ ମହାନ୍ତି
ପଡ଼ିଶା ଘରର ରାନୁ ମହାନ୍ତି
ଆମରି ଘରକୁ ବୁଲି ଆସନ୍ତି ।
ଦାମୀ ଶାଢ଼ି ,ଚୁଡ଼ି ,ଘଡ଼ି ପିନ୍ଧିନ୍ତି
ଭାରି ବଡ଼ ବଡ଼ କଥା କହନ୍ତି ।
"ଫରେନରେ ରହେ ମାଉସୀ ଝିଅ
ବରଫଠୁ ଭାରି ଧଳା ତା' ଦେହ ।
ଜୋଇଁ କମ୍ପାନିରେ ଚାକିରି କରେ
ମାସକୁ ଦରମା ନବେ ହଜାରେ ।
ଗାଡ଼ି ,ଘରଭଡ଼ା ମିଳୁଛି ସବୁ
ଏ ବରଷ ଆମେ ସେଠିକୁ ଯିବୁ ।
ଗଲାଥର ସିଏ ଆସିଲାବେଳେ
ଦେଇଥିଲା ମୋତେ ଝୁମୁକା ହଳେ ।
ଜରି କାମକରା ଦାମୀ ଭ୍ୟାନିଟି
ଚୁଡ଼ି ,ଲିପିଷ୍ଟିକ ,ପରଫ୍ୟୁମଟି-
ତୁମକୁ ତ ସବୁ ଦେଖେଇ ଥିଲି
ଛୁଟିରେ ପିନ୍ଧିକି ଗାଆଁକୁ ଗଲି ।
ଅଡିକାର ଧରି ମାମୁଁ ଆସିକି
ସେଠୁ ନେଇଗଲେ ମୋତେ ଡାକିକି ।
କେତେ ପ୍ରକାରର ରୋଷେଇ କରି
ଖୁଆଇଲେ ମାଇଁ ଆଦର କରି ।
ଚିଲି ଚାଇନିଜ-ପନିର ପକୋଡା
ଶାଢ଼ି ଦେଲେ ପୁଣି ଯୋଡ଼ାକୁ ଯୋଡ଼ା ।
ମୋ ଝିଅ 'ଲୀନା' କଲାରୁ ଜିଦି
ମାମୁଁ ଆଣିଦେଲେ ପାଉଁଜି, ମୁଦି ।
ଭାଗ୍ୟ କରିଥିଲି ଆର ଜନ୍ମରେ
ଜନମ ହେଲି ମୁଁ ସାଧବ ଘରେ ।
ବାପା ଅଫିସର ଭାଇ ଡାକ୍ତର
ମାମୁଁ ଡି.ଏଫ.ଓ. ସ୍ୱାମୀ ଲେକଚରର ।
ତେଣୁ କେଉଁଥିରେ ନାହିଁ ମୋ ଊଣା
ଭଳି ଭଳି ମିଳେ ଶାଢ଼ି ଗହଣା ।
ତୁମ ଭାଗ୍ୟେ କାହିଁ ଏ ସୁଖ ଶିରୀ
ବାପା ଚାଷୀ ,ସ୍ୱାମୀ ମାଷ୍ଟ୍ର ଚାକିରି ।
ପୁଅ ,ଝିଅ ସାଥେ ଶାଶୁ-ଶ୍ୱଶୁର
ନଣନ୍ଦ,ଦିଅର ରଖିଛ ଘର ।
ଅଳ୍ପ ରୋଜଗାର ଖର୍ଚ୍ଚ ବହୁତ
ସୁଖୀ ବା କେମିତି ହେବ କୁହ ତ !
ଯାଉଥିଲି କିଛି କହିବା ପାଇଁ
ତାଙ୍କ ପୁଅ ଖୋଜି ଆସିଲା ଧାଇଁ ।
କହିଲା ସେ-"ମମ୍ମି ପଇସା ଦିଅ
ଚ୍ୟାଲେଞ୍ଜ କରିଛି ରତନା ଝିଅ ।
ଭି.ଡି.ଓ. ଗେମଟେ କିଣିବି ମୁହିଁ
ଦେଖେଇବି ତାକୁ ସ୍କୁଲରେ ନେଇ ।
ପୁଅକଥା ଶୁଣି ରାଗରେ ପାଚି
ସେ ରାନୁ ମହାନ୍ତି ଉଠିଲେ ନାଚି ।
ଦୁମୁଦୁମୁ କରି କଚାଡ଼ି ଗୋଡ଼
କହିଲେ-"ବାପର ନାହିଁ ତ ଧଡ଼ ।
ପ୍ରାଇଭେଟ ଚାକିରି ଦରମା କେତେ ?
ଫର୍ମାଇସ ତୋର ଏବେଠୁ ଏତେ !
ଦେବିନାହିଁ କିଛି ଘରକୁ ଚାଲ
ସେଇଠି ବୁଝୁଛି ଆଜି ତୋ ହାଲ ।
ଚିଲେଇଲା ବଣ୍ଟି-"ଜାଣିଥା' ମମ୍ମି
ପଇସା ନ ଦେଲେ ସ୍କୁଲ ଯିବିନି ।
ବାପାଙ୍କୁ କହିବି ଗୁମର ଖୋଲି
ଭାବିଛୁ କି ମୋତେ ବୋକାଟା ବୋଲି !
ଭଳିଭଳି ଶାଢ଼ି,ଚୁଡ଼ି-ଭ୍ୟାନିଟି
ଯେତେ ଦୋକାନରୁ ଆଣିଛୁ ଲୁଟି ।
ତୋ ସାଙ୍ଗରେ ଥାଇ ଦେଖିଛି ସବୁ
ଏଇନେ କେମିତି ମୋତେ ଠକିବୁ !
ମୋତେ ଟଙ୍କା ତୁହି ନ ଦେବୁ ଯେବେ
କହିଦେବି ସବୁ ବାପାଙ୍କ ଆଗେ ।
ପୁଅ କଥା ଶୁଣି ରାନୁ ମହାନ୍ତି
ମୁହଁ ହୋଇଗଲା ନାଲିଆ ଅତି ।
ଗଲା ଯେଣୁ ତାଙ୍କ ଗୁମର ଖୋଲି
ତରତର ହୋଇ ଗଲେ ସେ ଚାଲି ।
ସେଦିନୁ ସେ ଜମା ଆସୁ ନାହାଁନ୍ତି
ବଡ଼ ବଡ଼ କଥା କହୁ ନାହାନ୍ତି ।
ମୋତେ ଦେଖିଦେଲେ ମୁହଁ ମୋଡ଼ନ୍ତି
ଗୁଣୁଗୁଣୁ କିଛି କହି ହୁଅନ୍ତି
ଓଢ଼ଣାକୁ ଟାଣି ଚାଲି ଯାଆନ୍ତି
ଆମ ପଡ଼ିଶା ଘରର ରାନୁ ମହାନ୍ତି ।
