STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ପଛକୁ ଫେରିବାର ନାହିଁ

ପଛକୁ ଫେରିବାର ନାହିଁ

1 min
206


ହେ ଆତ୍ମନ୍!

ଆଗକୁ ଚାଲିବାର ଅଛି

ଚାଲିବାକୁ ହିଁ ହେବ ତୋତେ 

ପଛକୁ ବାରେ ଫେରି ଚାହିଁ

ଦେଖିବାକୁ ତର ସହେ ନାହିଁ

ପୁଣି ପଛକୁ ଆଉ ଫେରିବାର 

ପ୍ରଶ୍ନ ଉଠେ ବା କିମ୍ପାଇଁ??

ଆଗକୁ ଥରେ ବଢିଥିବା ପାଦ

ଏମିତି ବଢୁଥିବ ଆଗକୁ ଆଗକୁ 

ଆହୁରି ଆଗକୁ ଏଠି ଥକିବାର ନାହିଁ 

ବିତି ଯାଇଥିବା ସମୟ ଆଉ 

କଥା ପାଇଁ ଭବିଷ୍ୟତରେ ସ୍ଥାନ ନାହିଁ

ଅତୀତର ଯାବତୀୟ ଦୁର୍ବଳତା ବିଫଳତା 

ପରାଜୟ ଶୈଥିଲ୍ୟକୁ ନେଇ ମନସ୍ତାପ 

ଅନୁଶୋଚନା କରିବାର ନାହିଁ 

କି କାହାରିକୁ ଏଥିଲାଗି 

ଦୋଷାରୋପ କରିବାର ନାହିଁ!!

ମାନବ ଜୀବନଟା ନୁହଁଇ ଲାଭକ୍ଷତିର 

ବାଣିଜ୍ୟିକ ଅଙ୍କକଷା 

ହାରିଲ କେତେ ପାଇଲ କେତେ 

ତାହାର କରିବ ବିସ୍ତୃତ ସମୀକ୍ଷା 

ଅତୀତର ଛାତିକୁ ବିଦାରି 

ସୁନେଲି ଭବିଷ୍ୟତକୁ ପାଶୋରି 

ଆଗକୁ ଚାଲିବାଟା ହିଁ ଜୀବନ 

ଚାଲିବାକୁ ହିଁ ହେବ ତୋତେ 

ତୁଟାଇ ସକଳ ମାୟାର ବନ୍ଧନ

ସମୟର ଏଇ ତ ବଜ୍ର ଆହ୍ୱାନ!!

ବେସାଲିସ ମନ ନେଇ ଏକେଲା 

ବାଟ ଚାଲିବାଟା ବି ଏତେ ସହଜ ନୁହଁଇ 

ତଥାପି ହାର ମାନିବାର ନାହିଁ 

ନୀତି ଆଦର୍ଶ ସହ ସାଲିସ କରିବାର 

ତ ଆଦୌ ପ୍ରଶ୍ନ ଉଠେ ନାହିଁ 

ସ୍ୱାଧୀକାର ସ୍ୱାଭିମାନକୁ ତିଳେ ବି 

ବଳି ଦେବାର ନାହିଁ!!

ନ୍ୟାଯ୍ୟ ପ୍ରାପ୍ୟ ମିଳିଲେ ମିଳିଲା 

ନମିଳିଲେ ନାହିଁ ସେଥିପାଇଁ 

ମଥାକୋଡି଼ ଭାଗ୍ୟକୁ ନିନ୍ଦିବାର ନାହିଁ 

ଭଗବାନଙ୍କୁ ବରଦାନ ମାଗିବାର ନାହିଁ 

କି ଦୁନିଆଁକୁ କାଠଗଡ଼ାରେ ଠିଆ 

କରାଇବାର ଅଭିପ୍ରାୟ ରଖ ନାହିଁ

ଘାତ ପ୍ରତିଘାତ ବିଶ୍ୱାସଘାତର 

ଗଣନା କରିବାର ନାହିଁ 

କେତେ ଅନୁଭୂତି ଅର୍ଜିଲ ତାକୁ 

ନେଇ ଗରବେ ହୁଅ ଅଗ୍ରସର!!

କର୍ମମୟ ଜୀବନରେ ପ୍ରାପ୍ତ ବିଫଳତାରେ 

କେହି ବି ନୁହଁଇ ତୋର ଭାଗୀଦାର 

ସଫଳତାର ଶ୍ରେୟ ଚାହିଁଲେ କାହାକୁ 

ନା କାହାକୁ ନିଶ୍ଚୟ ଦେଇପାର!!

ପଛକୁ ଫେରି ଚାହିଁବାର ନାହିଁ 

ଆଗକୁ ଲମ୍ବିଛି ପଥ ଉନ୍ନତିର

ତୁ ହିଁ ତୋର ଲକ୍ଷ୍ୟ ସ୍ଵୟଂ ସ୍ଥିର କର 

କିଏ ବା ରୋକିବ ତୋତେ 

ରହିଛି ଏତେ ବା ଶକ୍ତି ସାମର୍ଥ୍ୟ କାହାର??



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational