ପଚାରିଲେ ପାଖ ଲୋକେ
ପଚାରିଲେ ପାଖ ଲୋକେ
କାଳିଆ ସାଆନ୍ତେ ଅନେଇଲେ ମୋତେ
ଆଗରୁ ଚିହ୍ନିଲା ଭଳି
ସିଧା କରି ତେଣୁ ଚାହିଁ ପାରିଲିନି
ଲାଜରେ ମୁଁ ଗଲି ଜଳି ।
ତୁଚ୍ଛାକୁ ତ ସିଏ ଭାରି ରସିକ ଗୋ
ଆଗରୁ ଜାଣିଛି ମୁହିଁ,
ସେଥିପାଇଁ ଟିକେ ଆଢୁଆଳେ ଥାଇ
ଦେଲି ଶ୍ରୀ-ମୁଖକୁ ଚାହିଁ ।
ମୋତେ ଦେଖିଦେଇ ମୁରୁକି ହସିଲେ
ଠାରିଦେଲେ ବୋଧେ ଟିକେ,
"କେତେ ଦିନୁ ୟାଙ୍କ ଭାବରେ ପଡ଼ିଛ"
ପଚାରିଲେ ପାଖ ଲୋକେ ।
"ବାଳୁତ କାଳରୁ" କହିଦେଇ ତାଙ୍କୁ
ଜିହ୍ଵାକୁ କାମୁଡ଼ି ଦେଲି,
ଲକ୍ଷ୍ମୀ ଠାକୁରାଣୀ ଶୁଣିନେବେ କାଳେ
ମନେ ମନେ ଭାଳି ହେଲି ।
ଆଗରୁ ତ ସିଏ ରୋଷ କରିଛନ୍ତି
ଏ କଥା ଶୁଣିବେ ଯଦି,
ଜଗନ୍ନାଥଙ୍କର ଉପରେ ଆରୋପ
ଅକାରଣେ ଦେବେ ଲଦି ।
ବାକି କଥା ତାଙ୍କୁ ଜଣାଇବି ସବୁ
ନୀଳାଦ୍ରି ବିଜୟ ପରେ,
ଅନ୍ତର ମଧ୍ୟରେ ଭାଳି କରି ଏହା
ବାହୁଡ଼ି ଆସିଲି ଘରେ ।

